CulturalFeaturedLatestNews

ଯାଜପୁରରେ ମା ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ କଲେ ରାଷ୍ଟ୍ରପତି ମୁର୍ମୁ

ଯାଜପୁର (ସଂକେତ ଟିଭି): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଅ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ସୋମବାର ଭୁବନେଶ୍ୱର ପହଞ୍ଚିବା ପରେ ମଙ୍ଗଳବାର ସକାଳେ ସେ ପ୍ରଥମ ଗନ୍ତବ୍ୟସ୍ଥଳ ଯାଜପୁରର ବିରଜାପୀଠ ପହଞ୍ଚିଥିଲେ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲିକପ୍ଟର ଯୋଗେ ଜିଲ୍ଲା ପ୍ରଶାସନିକ ପଡିଆରେ ଅବତରଣ କରି ସେ ଜିଲ୍ଲା ପ୍ରଶାସନଙ୍କଦ୍ୱାରା ସମ୍ବର୍ଧିତ ହୋଇଥିଲେ।

ଏଠାରୁ କାରକେଡରେ ପ୍ରାୟ ୩ କିଲୋମିଟର ଅତିକ୍ରମ କରି ସେ ବିରଜା ମନ୍ଦିରରେ ପହଞ୍ଚିଥିଲେ। ରାଜ୍ୟପାଳ ହରିବାବୁ କମ୍ଭମ୍ ପତି ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସହିତ ମନ୍ଦିର ପରିସରରେ ପ୍ରବେଶ କରି ମା’ ବିରଜାଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ପୂଜା ଶେଷରେ ସେ ପୂଜକମାନଙ୍କଠାରୁ କରଯୋଡ଼ି ଆଶୀର୍ବାଦ ନେଇଥିଲେ।

ତା’ପରେ ସେ ନାଭିଗୟା ନିକଟରେ ପରିବାରର ଦିବଙ୍ଗତ ଆତ୍ମା ଓ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପରିସରରେ ବୁଲି ପାର୍ଶ୍ଵ ଦେବତାଙ୍କୁ ଦର୍ଶନ କରିବା ପରେ ବ୍ରହ୍ମାକୁଣ୍ଡ ନିକଟରେ ଛିଡ଼ା ହୋଇଥିବା ଛୋଟ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥିଲେ ଏବଂ ଶ୍ରଦ୍ଧାଳୁଙ୍କୁ ହାତ ହଲାଇ ସମ୍ବୋଧିତ କରିଥିଲେ।

ଏହି ଗସ୍ତ ଉପଲକ୍ଷେ ସମଗ୍ର ଯାଜପୁର ସହର ଫୁଲ, ବାରିକେଟ୍ ଓ ପତାକାରେ ସଜ୍ଜିତ ହୋଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କର, ଏସପି ୟସ ପ୍ରତାପ ଶ୍ରୀମଲ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଓଡ଼ିଶାର ୫ଟି ଜିଲ୍ଲା ଯାଜପୁର, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ଭ୍ରମଣ କରିବାର ନିର୍ଦ୍ଦେଶ ରହିଛି। ମଙ୍ଗଳବାର ରାତି ସେ ପୁରୀ ଲୋକଭବନରେ ଯାପନ କରିବେ। ବୁଧବାର (୪ ତାରିଖ) ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡଦାନ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିବେ।

ପରେ ସେ ସିଧାସଳଖ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଯାଇଥିବେ ଏବଂ ରାଇରଙ୍ଗପୁରସ୍ଥିତ ନିଜ ଘରେ ରାତ୍ରୀଯାପନ କରିବେ। ଗୁରୁବାର ଓ ଶୁକ୍ରବାର ରାଇରଙ୍ଗପୁର ଓ ଜଶିପୁରଠାରେ ବିଭିନ୍ନ ସମାଜିକ ଭାବବିନିମୟ, ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଫେବୃଆରୀ ୬ ତାରିଖରେ ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରି ପଶ୍ଚିମବଙ୍ଗ ଯାଇ ପୁଣି ଭୁବନେଶ୍ୱର ଫେରିବେ।

୭ ଫେବୃଆରୀରେ ସେ ଛତିଶଗଡ଼ର ଜଗଦଲପୁରଠାରେ ‘ବସ୍ତର ପାଣ୍ଡୁମ ୨୦୨୬’ ମହୋତ୍ସବ ଉଦ୍ଘାଟନ କରିବେ ଏବଂ ତା’ପରେ ରାୟପୁର ବିମାନବନ୍ଦରରୁ ଦିଲ୍ଲୀ ଫେରିବେ।