ଶିଶୁବାଟିକା ପିଲାଙ୍କୁ ମାଗଣା ପୋଷାକ: ୧୫ ଫେବୃଆରୀ ମଧ୍ୟରେ ବଣ୍ଟନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି):ସରକାରୀ ବିଦ୍ୟାଳୟରେ ପ୍ରାକ୍-ପ୍ରାଥମିକ ଶ୍ରେଣୀ ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ବର୍ତ୍ତମାନ ମାଗଣା ପୋଷାକ ମିଳିବ। ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏଥିପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୧୫ ଫେବୃଆରୀ ମଧ୍ୟରେ ଏହି ବଣ୍ଟନ କାର୍ଯ୍ୟ ସମାପ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓସେପା ଅତିରିକ୍ତ ନିର୍ଦ୍ଦେଶିକା ସଙ୍ଗୀତା ବେହେରାଙ୍କ ପକ୍ଷରେ ଜାରି ପତ୍ରରେ ଏହି ନିର୍ଦ୍ଦେଶ ଦିଆଯାଇଛି।
୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଏହି ପୋଷାକର ରଙ୍ଗ, ଡିଜାଇନ୍ ଏବଂ ଗୁଣବତ୍ତା ନିର୍ଧାରିତ ହେବ।
ଏହି ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କିମ୍ବା ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ କରାଯିବ। ଏଥିପାଇଁ କୌଣସି ନୂତନ ଟେଣ୍ଡର ଆବଶ୍ୟକ ନାହିଁ ବୋଲି ଓସେପା ସ୍ପଷ୍ଟ କରିଛି।
ଏହି କାର୍ଯ୍ୟକ୍ରମକୁ ‘ଅତି ଜରୁରୀ’ ବିଭାଗରେ ରଖାଯାଇଛି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ବଣ୍ଟନ ପ୍ରକ୍ରିୟାର ପ୍ରତ୍ୟକ୍ଷ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି (NEP 2020) କାର୍ଯ୍ୟକାରୀ କରିବା ଏବଂ ପ୍ରାକ୍-ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଛାତ୍ର ସଂଖ୍ୟା ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ଅଟେ।
