ଖାଲି ପଡ଼ିଥିବା ସରକାରୀ ଘରଗୁଡ଼ିକ ଗରିବ ଓ କର୍ମଜୀବୀଙ୍କୁ ଭଡାରେ ଦିଆଯିବ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ସହରାଞ୍ଚଳରେ ରହୁଥିବା ଗରିବ ଏବଂ ସ୍ୱଳ୍ପ ଆୟକାରୀ ଲୋକଙ୍କୁ ଭଡ଼ାରେ ଘର ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅନ୍ତର୍ଗତ ଖାଲି ପଡ଼ିଥିବା ସରକାରୀ ଘର ଓ ଭବନଗୁଡ଼ିକୁ ଭଡ଼ା ସୂତ୍ରରେ ଉପଲବ୍ଧ କରାଯିବ।
ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏହି ଖାଲି ପଡ଼ିଥିବା ସରକାରୀ ଘରଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗକୁ ଚିଠି ପଠାଇଛି। ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ଭବନଗୁଡ଼ିକର ସୂଚନା ପ୍ରଦାନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଅବାସ ଯୋଜନା (ସହର ୨.୦) ର ଅନ୍ତର୍ଗତ ରାଜ୍ୟରେ ଗରିବ ଓ କର୍ମଜୀବୀ ଲୋକଙ୍କ ପାଇଁ ଶସ୍ତା ଭଡ଼ା ଘର ବ୍ୟବସ୍ଥା କରାଯିବ। ଏଥିରେ କାମ ପାଇଁ ସହରକୁ ଆସୁଥିବା ଶ୍ରମିକ, କାର୍ଯ୍ୟରତ ମହିଳା ଏବଂ ଗରିବ ପରିବାରଗୁଡ଼ିକ ଲାଭାନ୍ୱିତ ହେବେ।
ଭଡ଼ା ହାର ସ୍ଥାନୀୟ ପ୍ରଶାସନ ଦ୍ୱାରା ନିର୍ଧାରିତ ହେବ। ଭଡ଼ା ପ୍ରତି ୨ ବର୍ଷରେ ୮ ପ୍ରତିଶତ ବୃଦ୍ଧି ପାଇବ ଏବଂ ୫ ବର୍ଷରେ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ସରକାର କହିଛନ୍ତି ଯେ ଏହି ପଦକ୍ଷେପ ସହରାଞ୍ଚଳର ଗରିବଙ୍କ ପାଇଁ ସୁରକ୍ଷିତ ଓ ସସ୍ତା ଆବାସ ସୁବିଧା ଯୋଗାଇବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
