୧୦ମ ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ହେବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ସଂକେତ ଟିଭି): ପରୀକ୍ଷା ପେ ଚର୍ଚ୍ଚାର ଦଶମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଚାପମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ଯୋଦ୍ଧାମାନଙ୍କ ସହ ଆଲୋଚନା କରି ସେ ମାର୍କକୁ ଏକ “ବେମାର” ବୋଲି ଉଲ୍ଲେଖ କରିଛନ୍ତି ଏବଂ ଶାନ୍ତ ଓ ସନ୍ତୁଳିତ ମନୋଭାବ ରଖି ପରୀକ୍ଷା ଦେବାକୁ ଉପଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକର ଖାଦ୍ୟ ପସନ୍ଦ ଭିନ୍ନ ପରି, ପାଠ୍ୟ ଶୈଳୀ ମଧ୍ୟ ଅଲଗା ହୋଇଥାଏ। ତେଣୁ ନିଜ ରୁଚି ଓ ଅନୁଭବକୁ ସମ୍ମାନ ଦେଇ, ସେଥିରୁ ଶିଖି ଆଗକୁ ବଢିବା ଜରୁରୀ। ସେହିପରି ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ବ ଆରୋପ କରି ନିଜ ଦକ୍ଷତା ଚିହ୍ନି କଠୋର ପରିଶ୍ରମ କଲେ ସଫଳତା ଅବଶ୍ୟ ମିଳିବ ବୋଲି ସେ ମତ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ଗଠନ କରିବା ଦାୟିତ୍ୱ ନେବାକୁ ଅନୁରୋଧ କରାଯାଇଛି। ସକାଳ ୧୦ଟାରେ ଆୟୋଜିତ ଏହି ଆଲୋଚନାରେ ଦେଶବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନେ ସିଧାସଳଖ ଭାବରେ ଯୋଗ ଦେଇଥିଲେ।
ଏଥର କାର୍ଯ୍ୟକ୍ରମ ଦେବରାମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗସ୍ଥିତ କେନ୍ଦ୍ରମାନଙ୍କରେ ଆୟୋଜିତ ହୋଇଥିଲା। ପରୀକ୍ଷା ନିକଟତର ହେଉଥିବା ସମୟରେ ଏହି ପରୀକ୍ଷା ପେ ଚର୍ଚ୍ଚା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ମାର୍ଗଦର୍ଶିକା ଭୂମିକା ଗ୍ରହଣ କରିଛି।
