FeaturedLatestNews

ପୂର୍ବତନ ପିସିସି ସଭାପତିଙ୍କ ଘର ଲୁଟ୍ ମାମଲାରେ ସ୍ପାଇଡର୍ ନିର୍ଦ୍ଦୋଷରେ ଖଲାସ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ଜେଏମଏଫସି କୋର୍ଟ-୩ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟ୍ ମାମଲାରେ ଅଭିଯୁକ୍ତ ଲୁଟେରା “ସ୍ପାଇଡର୍” ସତୀଶ ରେଡ୍ଡିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଅଦାଲତ ପକ୍ଷରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବକୁ ଏହି ରାୟର ମୁଖ୍ୟ କାରଣ ଭାବରେ ଉଲ୍ଲେଖ କରିଛନ୍ତି।

୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ଶ୍ରୀ ପଟ୍ଟନାୟକଙ୍କ ନୟାପଲ୍ଲୀ ସ୍ଥିତ ନିବାସରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା। କମିଶନରେଟ୍ ପୋଲିସ ତଦନ୍ତ କରି ସିସିଟିଭି ଫୁଟେଜର ସାହାଯ୍ୟରେ ସତୀଶ ରେଡ୍ଡିଙ୍କୁ ଗିରଫ କରିଥିଲା। ଗତ ଏପ୍ରିଲ ୨୫ ତାରିଖରେ ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ସତୀଶ ବିରୁଦ୍ଧରେ ମୋଟ ୩୪ଟି ଅପରାଧିକ ମାମଲା ଥିବା ଦାବି କରାଯାଇଥିଲା।

ତଥାପି, ଅଦାଲତରେ ପୋଲିସ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି ଅଭିଯୋଗଗୁଡିକର ବୈଧ ପ୍ରମାଣ ଦାଖଲ କରିପାରିନଥିଲା। ଏହି ଅଭାବ ଯୋଗୁଁ କୋର୍ଟ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରି ଅଭିଯୁକ୍ତକୁ ‘ନଟ୍ ଫାଉଣ୍ଡ ଗିଲ୍ଟି’ (ଦୋଷୀ ପ୍ରମାଣିତ ହୋଇନଥିଲେ) ଘୋଷଣା କରି ମୁକ୍ତ କରିଦେଇଛନ୍ତି।