ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାରଙ୍କୁ ପୁଣେର ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ(ସଂକେତ ଟିଭି): ଏନସିପି (ଏସପି) ଅଧ୍ୟକ୍ଷ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାରୁ ତାଙ୍କୁ ସୋମବାର ପୁଣେର ସ୍ଥିତ ରୁବି ହିଲ୍ସ କ୍ଲିନିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ଯେ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ନିରନ୍ତର ନିରୀକ୍ଷଣ ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟର ଗମ୍ଭୀରତା ସମ୍ପର୍କରେ କୌଣସି ସରକାରୀ ଡାକ୍ତରୀ ବିବୃତ୍ତି ଦିଆଯାଇ ନାହିଁ।
ଶରଦ ପାୱାରଙ୍କୁ ସୋମବାର ସକାଳୁ କାଶ, ଜ୍ୱର ଏବଂ ଥଣ୍ଡା ଲାଗିବାର ଲକ୍ଷଣ ଦେଖାଦେଇଥିଲା। ଏହି ଅବସ୍ଥାରେ ଡାକ୍ତରଙ୍କ ଏକ ଦଳ ସକାଳେ ବାରାମତୀର ଗୋବିନ୍ଦବାଗସ୍ଥିତ ତାଙ୍କ ବାସଭବନକୁ ଯାଇ ପ୍ରାଥମିକ ଯାଞ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅପରାହ୍ନରେ ପୁଣେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଘଟନା ସମୟରେ ବାରାମତି ତାଲୁକାର କାଠେୱାଡିରେ ଶରଦ ପାୱାରଙ୍କ ଦିବଙ୍ଗତ ପିତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୂଣ୍ୟତିଥି ପାଳନ ଚାଲିଥିଲା। ଶରଦ ପାୱାର ଏବଂ ତାଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ମଧ୍ୟ, ଅଚାନକ ଅସୁସ୍ଥତା ଯୋଗୁଁ ସେ ସେଠାକୁ ଯାଇପାରିନଥିଲେ।
ସୂତ୍ର ଅନୁସାରେ ଶରଦ ପାୱାର ଗତ କିଛି ଦିନ ଧରି ଅସୁସ୍ଥ ଥିବାର ଅନୁମାନ କରାଯାଉଛି। ଅସୁସ୍ଥତା ଯୋଗୁଁ ସେ ଗତ ଦୁଇରୁ ତିନି ମାସ ଧରି ଅନେକ ସାଧାରଣ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ହେଲେ ମାର୍ଚ୍ଚ ମାସରେ ତାଙ୍କ ପୁତ୍ର ଅଜିତ ପାୱାରଙ୍କ ହଠାତ୍ ମୃତ୍ୟୁ ପରେ ସେ ଦଳୀୟ କର୍ମୀ ଓ ଜନସାଧାରଣଙ୍କ ସହ ମୁଲାକାତ କାର୍ଯ୍ୟକ୍ରମ ଆଉଥରେ ଆରମ୍ଭ କରିଥିଲେ। ମାତ୍ର ଏବେ ଥଣ୍ଡା ଲାଗି କାଶ ଓ କଫ ହେତୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।
