FeaturedGeneralLatest

ମଣିପୁରରେ ପୁଣି ହିଂସା ଓ ଦଙ୍ଗା, କର୍ଫ୍ୟୁ ଓ ଇଣ୍ଟରନେଟ୍ ବନ୍ଦ

ଇମ୍ପାଲ(ସଂକେତ ଟିଭି): କିଛି ଦିନର ନିରବତା ପରେ ଅଶାନ୍ତ ହୋଇଉଠିଲା ମଣିପୁର। ରାଜ୍ୟର ଉଖରୁଲ ଜିଲ୍ଲାରେ ପୁଣି ହିଂସା ଓ ଦଙ୍ଗା ଘଟଣା ସାମ୍ନାକୁ ଆସିଛି। ସାରେଇଖୋଙ୍ଗ ଗ୍ରାମରେ କିଛି ସଶସ୍ତ୍ର ବ୍ୟକ୍ତି ଲୋକଙ୍କ ଘରେ ନିଆଁ ଲଗାଇଦେବା ପରେ ପରିସ୍ଥିତି ଭୟଙ୍କର ରୂପ ନେଇଛି।

ଅଧିକାରୀଙ୍କ କହିବା ଅନୁସାରେ, କିଛି ଦୁର୍ବୃତ୍ତ ଗାଁ ମଧ୍ୟରେ ପ୍ରବେଶ କରି ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ ଏବଂ ପରେ କିଛି ଘରକୁ ଜାଳିଦେଇଥିଲେ। ଘଟଣା ପରେ ଅନେକ ଗ୍ରାମବାସୀ ସେମାନଙ୍କ ଆସବାବପତ୍ର ସହିତ ପଡୋଶୀ କାଙ୍ଗପୋକପି ଗ୍ରାମକୁ ଚାଲିଯାଇଛନ୍ତି। ତାଙ୍ଗଖୁଲ ଗ୍ରାମର କିଛି ବ୍ୟକ୍ତିମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି।

ଆଇନଶୃଙ୍ଖଳା ବିଗୁଡିବା ଆଶଙ୍କାରେ ମଣିପୁର ଡିଜି ସାରା ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିବା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅସ୍ଥାୟୀ ଭାବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ପ୍ରଶାସନର ମତରେ, ଇଣ୍ଟରନେଟ୍ ହିଂସା ବ୍ୟାପିବାର ମାଧ୍ୟମ ହୋଇପାରେ ବୋଲି ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି ପାଇଁ ଏହି ପଦକ୍ଷେପ ନିଆଯାଇଛି। କେହି ଯଦି ଫେକ୍ ଖବର କିମ୍ବା ଭିଡିଓ ସେୟାର କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।

ଗତ ଶନିବାର ଉଖରୁଲର ଲିଟନ ଗାଁରେ ନାଗା ସମୁଦାୟର ଜଣେ ବ୍ୟକ୍ତିଙ୍କୁ ମାରପିଟ୍ କରାଯାଇଥିଲା। ରବିବାର ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇପାରିବ ବୋଲି ଆଶା କରାଯାଇଥିଲା, କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା। ସୋମବାର ରାତିରେ କିଛି ଦୁର୍ବୃତ୍ତ ସାରେଇଖୋଙ୍ଗରେ ଥିବା ନାଗା ସମୁଦାୟଙ୍କ ଘରକୁ ଜାଳିଦେବା ପରଠାରୁ ହିଂସା ବ୍ୟାପିଛି ଏବଂ ଅନ୍ୟ ସମୁଦାୟମଧ୍ୟ ନାଗାଙ୍କ ଘରକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି।