FeaturedHealthLatestNews

ଓଡ଼ିଶାରେ ଆଉ ୨୫୦ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟର ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଆହୁରି ୨୫୦ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରୁ ନୂଆ ଆମ୍ବୁଲାନ୍ସଗୁଡ଼ିକୁ ଲୋକାର୍ପଣ କରିଛନ୍ତି ।

ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେଥିରୁ ପ୍ରଥମ ପର୍ଯ୍ୟାୟରେ ଗତ ବର୍ଷ ଡିସେମ୍ବର ୨୩ ତାରିଖରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଅଧିକ ୨୫୦ଟି ଆମ୍ବୁଲାନ୍ସ ଯୋଗ ହେଲା । ଏଥିରେ ବିମାନବନ୍ଦର ପାଇଁ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ପାଇଁ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ରହିଛି ।

ପ୍ରତି ଆମ୍ବୁଲାନ୍ସ ପିଛା ୨.୫୭ ନିୟୁତ ଟଙ୍କା ଖର୍ଚ୍ଚରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ନିଜ ସ୍ୱତନ୍ତ୍ର ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ୨୦୧୩ ମସିହାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ସେବାରେ ନିୟୋଜିତ ଅଛି ।

ଏଥିରେ ୪୪୯ଟି ବେସିକ୍ ଲାଇଫ୍ ସପୋର୍ଟ (BLS), ୪୧୧ଟି ଆଡ୍ଭାନ୍ସ ଲାଇଫ୍ ସପୋର୍ଟ (ALS) ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ଅଛି । ଏସବୁ ଆମ୍ବୁଲାନ୍ସ ମାଧ୍ୟମରେ ଜନସାଧାରଣଙ୍କୁ ମାଗଣା ଜରୁରୀ ସ୍ଥାନାନ୍ତରଣ ସେବା ଦିଆଯାଏ । ଏହା ସହିତ, ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ “ଜନନୀ ଏକ୍ସପ୍ରେସ” ଯୋଜନା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ରହିଛି ।

ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ମାଧ୍ୟମରେ ପ୍ରତିଦିନ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ଚିକିତ୍ସାଳୟକୁ ନେଇ ଚିକିତ୍ସା ସୁବିଧା ଦିଆଯାଉଛି । ନୂଆ ଆମ୍ବୁଲାନ୍ସଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯୋଗ କରି ପୁରୁଣାଗୁଡ଼ିକୁ ବଦଳାଯିବ, ଯାହା ଜରୁରୀ ସେବାକୁ ଆହୁରି ସଶକ୍ତ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନକୁ ଗୁରୁତ୍ୱ ଦିଆଯାଇଛି ।