ସରକାରଙ୍କ ନୂଆ ରଣନୀତି, ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ମିଳିବ କୋଟି କୋଟିର ପ୍ୟାକେଜ୍
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରୁ ନକ୍ସଲବାଦୀଙ୍କୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାର ନୂଆ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଆତ୍ମସମର୍ପଣ ନୀତିକୁ ସଂଶୋଧନ କରି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନୀତି ଅନୁସାରେ ବନ୍ଧୁକ ବଦଳରେ ମାଓବାଦୀଙ୍କୁ ମିଳିବ କୋଟି କୋଟି ଟଙ୍କାର ପ୍ୟାକେଜ୍।
ସଂଶୋଧିତ ଯୋଜନା ଅନୁଯାୟୀ, ଏଣିକି ନକ୍ସଲ ଆତ୍ମସମର୍ପଣ କରିବାର ୬୦ ଦିନ ମଧ୍ୟରେ ଥଇଥାନ ସୁବିଧା ପ୍ରଦାନ କରାଯିବ। ଏହା ପୂର୍ବରୁ ଏଥିପାଇଁ ଅଧିକ ସମୟ ଲାଗୁଥିଲା। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଆତ୍ମସମର୍ପଣକାରୀ ମାଓବାଦୀମାନେ ଶୀଘ୍ର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।
ନୂଆ ନୀତିରେ ବିଭିନ୍ନ ଶ୍ରେଣୀର ନକ୍ସଲ ନେତାଙ୍କ ମୁଣ୍ଡଜାମିନ ପୁରସ୍କାର ରାଶି ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଏବଂ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।
ସରକାରଙ୍କ ଏହି ନୂଆ ନୀତିରେ ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ (ଏଫଡି) ଆକାରରେ ପ୍ରଦାନ କରାଯିବ। ଏହାବ୍ୟତୀତ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି।
ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ନୂଆ ଥଇଥାନ ନୀତି ଦ୍ୱାରା ଅଧିକରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ଗୃହ ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
