ପ୍ରଦୂଷଣ ଫାଇନ୍ ରିହାତି: କମିପାରେ ୧୦ ହଜାର ଟଙ୍କା ଜରିମାନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର (PUCC) ନ ଥିବା ଯାନଗୁଡ଼ିକ ପାଇଁ ଟୋଲ୍ଗେଟ୍ରେ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜରିମାନା ହ୍ରାସ କରିବାକୁ ପରିବହନ ବିଭାଗ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସୂଚନା ଦେଇ କହିଛନ୍ତି ଯେ, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ PUCC ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ସମସ୍ତ ଯାନମାଲିକଙ୍କ ପାଇଁ PUCC କରିବା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ ପୁନରୁଦ୍ଧାର କରିଛନ୍ତି।
ମନ୍ତ୍ରୀ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ PUCC ପ୍ରମାଣପତ୍ର ପାଇବା ପାଇଁ ଯାନମାଲିକଙ୍କୁ ସମସ୍ତ ବକେୟା ଚାଲାଣ ପୈଠ କରିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଗାଡ଼ି ବିରୋଧରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲା ବିଚାରାଧୀନ ଥାଏ, ତେବେ ସେହି ଗାଡ଼ିକୁ PUCC ପ୍ରଦାନ କରାଯିବ ନାହିଁ। ଏହି ନିଷ୍ପତ୍ତିକୁ ହାଇକୋର୍ଟ ମଧ୍ୟ ବୈଧ ଠହରାଇଛନ୍ତି।
ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସେଣ୍ଟ୍ରାଲ ମୋଟର ଭେହିକିଲ ନିୟମ ୧୯୮୯ର ନିୟମ ୧୬୭(୧୨) ଅନୁଯାୟୀ, ଯଦି କୌଣସି ଯାନ ବିରୋଧରେ ଚାଲାଣ ବକେୟା ଥାଏ, ତେବେ ସେହି ଗାଡ଼ିର PUCC ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଗତ ଜାନୁଆରୀ ୨୭ରେ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ବର୍ତ୍ତମାନ ଆଡଭୋକେଟ୍ ଜେନେରାଲଙ୍କ ଯୁକ୍ତି ଗ୍ରହଣ କରି କୋର୍ଟ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ କରିଛନ୍ତି।
ଗତ ଡିସେମ୍ବର ୨୦ରେ ପରିବହନ ବିଭାଗ PUCC ନଥିବା ଗାଡ଼ିକୁ ପେଟ୍ରୋଲ/ଡିଜେଲ ନ ଦେବାକୁ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖିଥିଲା। ଏହାକୁ ବିରୋଧ କରି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ତର୍କ ଦେଇଥିଲେ ଯେ, ଏହା ଯାନମାଲିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ତେବେ ପରିବହନ ବିଭାଗ ପରବର୍ତ୍ତୀ ସମୟରେ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରି ନେଇଥିଲା।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସଂଶୋଧିତ) ୨୦୨୬ ଜାନୁଆରୀ ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସଂଶୋଧିତ ନିୟମ ଅନୁସାରେ ଚାଲାଣ ବକେୟା ଥିବା ଗାଡ଼ିକୁ PUCC ନ ଦେବା ସମ୍ପୂର୍ଣ୍ଣ ବୈଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାର ଟୋଲ୍ଗେଟ୍ଗୁଡ଼ିକରେ ୧୦ ହଜାର ଟଙ୍କା ଜରିମାନାକୁ ହ୍ରାସ କରିବା ପାଇଁ ବିଚାର କରୁଛନ୍ତି। ଏହାଦ୍ୱାରା ସାଧାରଣ ଯାନମାଲିକମାନେ ଅଧିକ ଅସୁବିଧାର ସମ୍ମୁଖୀନ ନ ହୋଇ PUCC ନବୀକରଣ କରିପାରିବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
