ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ (ସଂକେତ ଟିଭି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ବିଧାନସଭା ବଜେଟ ଅଧିବେଶନରେ ଏହି କମିଶନ ରିପୋର୍ଟ ଉପସ୍ଥାପନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ୧୯୭୮ ମସିହାର ତାଲିକା ସହ ମେଳକ ରଖି ଗଣତି କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯୭୮ ମସିହାରେ ଶେଷ ଥର ପାଇଁ ଶ୍ରୀମନ୍ଦିରରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
୨୦୨୩ ମସିହାରେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ କେନ୍ଦ୍ର କରି ଏହି ମାମଲା ଦାୟର ହୋଇଥିଲା। ପ୍ରଥମତଃ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ରିପୋର୍ଟ, ଦ୍ୱିତୀୟତଃ, ରତ୍ନ ଅଳଙ୍କାରର ଗଣତି ମଣତି, ଏବଂ ତୃତୀୟତଃ, ରତ୍ନଭଣ୍ଡାରର ମରାମତି ପ୍ରସଙ୍ଗ।
ପୂର୍ବ ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କୁ ଅବଗତ କରାଇଥିଲା ଯେ, ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଯାଞ୍ଚ ପାଇଁ ଏସଓପି (Standard Operating Procedure) ପ୍ରସ୍ତୁତ ହୋଇସାରିଛି। ଏପରିକି ଚାବି ହଜିବା ଘଟଣାକୁ ନେଇ ହାଇକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ, ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଯାଇନାହିଁ, ସେନେଇ କୋର୍ଟ କଡ଼ା ପ୍ରଶ୍ନ କରିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପୂର୍ବରୁ ସୂଚନା ଦେଇଥିଲେ ଯେ, ୩ଟି ପର୍ଯ୍ୟାୟରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।
- ପ୍ରଥମ ପର୍ଯ୍ୟାୟ: ମହାପ୍ରଭୁଙ୍କ ଚଳନ୍ତି ରତ୍ନ ଅଳଙ୍କାରର ଗଣତି କରାଯିବ।
- ଦ୍ୱିତୀୟ ପର୍ଯ୍ୟାୟ: ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି କରାଯିବ।
- ତୃତୀୟ ପର୍ଯ୍ୟାୟ: ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ।
ଗଣତି ମଣତି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରି ଆସନ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
