ଓଟିଇଟି ପରୀକ୍ଷାଫଳ ଘୋଷିତ, ପାସ୍ ହାର ୬୮.୯୭%
କଟକ (ସଂକେତ ଟିଭି): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ୨୦୨୫ ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ୍ ପାସ୍ ହାର ୬୮.୯୭ ପ୍ରତିଶତ ରହିଛି।
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE), ଓଡ଼ିଶା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ପେପର-୧ରେ ପାସ୍ ହାର ୭୧.୧୬% ଥିବାବେଳେ ପେପର-୨ରେ ପାସ୍ ହାର ୬୮.୦୬% ରହିଛି। ମୋଟ୍ ୧,୬୦,୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୦୬,୦୪୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଓଟିଇଟି ପ୍ରଶ୍ନପତ୍ର ଲିକ୍ ହେତୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ପ୍ରମାଣ ସଂଗ୍ରହ କରିବା ସହ ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।
ପରୀକ୍ଷା ବାତିଲ ପରେ ବୋର୍ଡ ପକ୍ଷରୁ ସାନି ପରୀକ୍ଷା ଆୟୋଜନ କରାଯାଇଥିଲା, ଯେଉଁଥିରେ ୧,୬୦,୪୨୦ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।
ପ୍ରକାଶିତ ରେଜଲ୍ଟ ଅନୁଯାୟୀ, ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩,୯୫୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ପେପରରେ ମୋଟ୍ ୧,୦୬,୦୪୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବୋର୍ଡ ସୂତ୍ରରୁ ଜଣାପଡ଼ିଛି।
ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ରେ ଯାଇ ନିଜ ଫଳାଫଳ ଦେଖିପାରିବେ। ଏହାସହ ନିର୍ଦ୍ଧାରିତ ଫି ଜମା କରି ସାର୍ଟିଫିକେଟ୍ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଯେଉଁ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଆସନ୍ତା ୧୮ ତାରିଖ ଅପରାହ୍ନ ୪ଟା ସୁଦ୍ଧା ୱେବସାଇଟ୍ରୁ ନିଜ OMR ଉତ୍ତର କପି ଡାଉନ୍ଲୋଡ୍ କରିପାରିବେ। ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି।
ସେହିପରି, ଓଟିଇଟି ୨୦୨୬ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗାମୀ ମେ ମାସ ତୃତୀୟ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆବେଦନ ତାରିଖ ଶୀଘ୍ର ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
