ବାଂଲାଦେଶରେ BNPର ବିଜୟ, ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା
ଢାକା(ସଂକେତ ଟିଭି): ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏକ ଐତିହାସିକ ଏବଂ ଦମଦାର ବିଜୟ ହାସଲ କରିଛି। ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଦେଶକୁ ଫେରିଥିବା BNP ମୁଖ୍ୟ ତାରିକ ରହମାନଙ୍କ ନେତୃତ୍ୱରେ ଦଳ ଏକାକୀ ୨୦୦ରୁ ଅଧିକ ଆସନରେ ଆଗୁଆ ରହି ସରକାର ଗଠନ ପାଇଁ ଆବଶ୍ୟକ ୧୫୧ ଆସନର ଆବଶ୍ୟକତାଠାରୁ ଅଧିକ ସଂଖ୍ୟା ହାସଲ କରିଛି।
୨୦୨୪ ମସିହାର ଛାତ୍ର ଆନ୍ଦୋଳନ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ପତନ ପରେ ଏହା ଥିଲା ବାଂଲାଦେଶର ପ୍ରଥମ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ପ୍ରାୟ ୬୦.୬୯% ମତଦାନ ହୋଇଛି ଏବଂ ବହୁ ବର୍ଷ ପରେ ଲୋକେ ଉତ୍ସାହର ସହ ଶାନ୍ତିପୂର୍ଣ୍ଣ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। BNP ମେଣ୍ଟ ଡବଲ ସେଞ୍ଚୁରୀ ପାର୍ କରିବା ସହିତ ଜମାତ ମେଣ୍ଟ ମାତ୍ର ୬୨ରୁ ୭୦ଟି ଆସନରେ ସୀମିତ ରହିଯାଇଛି। ତାରିକ ରହମାନ ସ୍ବୟଂ ଢାକା-୧୭ ଏବଂ ବୋଗ୍ରା-୬ ଦୁଇଟି ଆସନରୁ ବିଜୟୀ ହୋଇଛନ୍ତି ଏବଂ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଗଲାଣି। BNP ନେତାମାନେ ଏହି ବିଜୟକୁ “ଜନତାର ବିଜୟ” ଆଖ୍ୟା ଦେଇଛନ୍ତି।
ଏହି ବିଜୟ ପରେ ପ୍ରଧାନମନ୍ତ୍ର�ୀ ନରେନ୍ଦ୍ର ମୋଦୀ ତାରିକ ରହମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ବାଂଲାଦେଶ ସଂସଦୀୟ ନିର୍ବାଚନରେ BNPକୁ ଏକ ନିର୍ଣ୍ଣାୟକ ବିଜୟ ହାସଲର ନେତୃତ୍ୱ ନେବା ପାଇଁ ମୁଁ ଶ୍ରୀ ତାରିକ ରହମାନଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ଏହି ବିଜୟ ବାଂଲାଦେଶର ଲୋକଙ୍କର ଆପଣଙ୍କ ନେତୃତ୍ୱ ଉପରେ ଥିବା ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ।” ପ୍ରଧାନମନ୍ତ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ଏବଂ ଘନିଷ୍ଠ ହେବ।
