ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳିଲେ ଚାଷୀ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାରେ ଧାନ କିଣାକୁ ନେଇ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ମିଲରମାନେ ଧାନ ଉଠାଉ ନଥିବାରୁ କ୍ଷୁବ୍ଧ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ଟ୍ରାକ୍ଟରରେ ଆଣିଥିବା ଧାନ ବସ୍ତା ଢାଳି ଦେଇଛନ୍ତି।
ପ୍ରଶାସନ ବିରୋଧରେ ଉତ୍ତାପ୍ତ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ବୋଝେଇ ଟ୍ରାକ୍ଟର ନେଇ ପ୍ରବେଶ କରିଥିଲେ। ଏହାପରେ ସେମାନେ ଟ୍ରାକ୍ଟରରୁ ଧାନ ବସ୍ତା ତଳକୁ ପକାଇ ବିକଳ ପ୍ରତିବାଦ ଜଣାଇଥିଲେ।
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଭଦ୍ରକ ଜିଲ୍ଲାର ମିଲରମାନେ ୮ କ୍ୱିଣ୍ଟାଲରୁ ୧୩ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କାଟୁଛନ୍ତି। କେବଳ ଏତିକି ନୁହେଁ, ଚାଷୀଙ୍କୁ ଅଖା ନଦେବା ସହିତ ଗାଡ଼ି ମଧ୍ୟ ଦିଆଯାଉନାହିଁ। ଫଳରେ ସବୁ ମଣ୍ଡିରେ ଧାନ ଗଦା ହୋଇ ରହିଛି।
ସଙ୍ଗଠନର ନେତାମାନେ ଆହୁରି ମଧ୍ୟ କହିଛନ୍ତି ଯେ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନ ପକ୍ଷରୁ ମିଛ ତଥ୍ୟ ଦିଆଯାଉଛି। ଗ୍ରାଉଣ୍ଡକୁ ନଯାଇ ଚାଷୀଙ୍କ ଉପରେ ଦୋଷ ଲଦା ଯାଉଥିବାରୁ ସେମାନେ କ୍ଷୁବ୍ଧ। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଚାଷୀ ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
