FeaturedLatestNews

ବ୍ରିଜ ଉପରକୁ ଚଢ଼ିଗଲା ତୀର୍ଥଯାତ୍ରୀ ବସ୍, ଚାଳକଙ୍କ ମୃତ୍ୟୁ, ୧୪ରୁ ଅଧିକ ଆହତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ବଜାର ନିକଟରେ ଆଜି ଭୋର ସମୟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ନିୟନ୍ତ୍ରଣ ହରାଇ ଏକ ବ୍ରିଜ ଉପରକୁ ଚଢ଼ିଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭରଙ୍କୁ ନିଦ୍ରାହୀନତା ଯୋଗୁଁ ଆଖି ଲାଗିଯାଇଥିଲା। ଏହି ସମୟରେ ବସ୍ଟି ବ୍ରିଜ ଉପରକୁ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତକ ଜଣକ ହେଲେ ଏନ୍ ଶ୍ରୀନିବାସ ରାଓ (୫୫)

ବସଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦୁର୍ଘଟଣା ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଦୁର୍ଘଟଣାଗ୍ରସ୍ତ ବସଟି ବ୍ରିଜ ଉପରେ ଅସ୍ଥିର ଭାବରେ ଝୁଲି ରହିଥିଲା, ଯାହାକୁ ଏକ କ୍ରେନ୍ ସାହାଯ୍ୟରେ ବାହାର କରାଯାଉଛି। ବସ୍ ନମ୍ବରରୁ ଏହା ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହତ ଯାତ୍ରୀମାନେ ସୁସ୍ଥ ହେବା ପରେ ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ଯଥା ଆନ୍ଧ୍ରପ୍ରଦେଶ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।