କଟକ ଜିଲ୍ଲାପାଳଙ୍କ ବିରୋଧରେ ଜାରି ହେଲା ସ୍ୱାଧିକାର ଭଙ୍ଗ ନୋଟିସ୍
କଟକ(ସଂକେତ ଟିଭି): କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି କରାଯାଇଛି। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏହି ନୋଟିସ୍ କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ ଏବଂ ପେନସନ ମନ୍ତ୍ରଣାଳୟ ମାଧ୍ୟମରେ ଜିଲ୍ଲାପାଳଙ୍କୁ ପଠାଯାଇଛି।
ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏହି ଅଭିଯୋଗ ଆଣିଥିଲେ। ଗତ ଜାନୁଆରି ୨୩ ତାରିଖରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ‘ନେତାଜୀ ବାସଭବନ’ଠାରେ ତାଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ସରକାରୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଜନପ୍ରତିନିଧି ଏବଂ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସାଂସଦ ସାମନ୍ତରାୟଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା।
ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ୍ ଦିଆଯିବା ଦ୍ୱାରା ତାଙ୍କ ସାଂସଦୀୟ ସ୍ୱାଧିକାରର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ଗତ ଫେବୃଆରି ୩ ତାରିଖରେ ସେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଘଟଣାର ଯାଞ୍ଚ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ପର୍ସନେଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରାଯାଇଛି।
