ପନୁନ୍ ହତ୍ୟା ଷଡ଼ଯନ୍ତ୍ର: କୋର୍ଟରେ ଦୋଷ ସ୍ୱୀକାର କଲେ ଭାରତୀୟ ନାଗରିକ ନିଖିଲ ଗୁପ୍ତା
ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକାରେ ରହୁଥିବା ଶିଖ୍ ବିଚ୍ଛିନ୍ନତାବାଦୀ ନେତା ଗୁରପତଓ୍ୱନ୍ତ ସିଂ ପନୁନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ମାମଲାରେ ବଡ଼ ଘଟଣାକ୍ରମ ଦେଖିବାକୁ ମିଳିଛି। ୫୪ ବର୍ଷୀୟ ଭାରତୀୟ ନାଗରିକ ନିଖିଲ ଗୁପ୍ତା ନ୍ୟୁୟର୍କର ଫେଡେରାଲ କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି।
୨୦୨୬ ଫେବ୍ରୁଆରୀ ୧୩ ତାରିଖରେ ନିଖିଲ ଗୁପ୍ତା ପନୁନଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେବା ଏବଂ ଟଙ୍କା ହେରଫେର ଭଳି ଗମ୍ଭୀର ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଏହି ହତ୍ୟା ପାଇଁ ମୋଟ ୧ ଲକ୍ଷ ଡଲାରର ଚୁକ୍ତି ହୋଇଥିଲା ଏବଂ ଅଗ୍ରୀମ ଭାବରେ ୧୫ ହଜାର ଡଲାର ଦିଆଯାଇଥିଲା।
ଆମେରିକା ପୋଲିସର ଅଭିଯୋଗ ଅନୁଯାୟୀ, ନିଖିଲ ଗୁପ୍ତା ଜଣେ ଭାରତୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ପନୁନଙ୍କୁ ମାରିବା ପାଇଁ ଜଣେ ଭଡ଼ାଟିଆ ହତ୍ୟାକାରୀ ଖୋଜୁଥିଲେ। ସେ ଜଣେ ବ୍ୟକ୍ତିଙ୍କୁ ହିଁ ଏହି କାମ ପାଇଁ ଯୋଗାଯୋଗ କରିଥିଲେ, କିନ୍ତୁ ସେହି ବ୍ୟକ୍ତି ଜଣକ ପ୍ରକୃତରେ ଆମେରିକା ଗୁପ୍ତଚର ସଂସ୍ଥାର ଜଣେ ଏଜେଣ୍ଟ ଥିଲେ।
ଏହି ଅପରାଧ ପାଇଁ ନିଖିଲ ଗୁପ୍ତାଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଆସନ୍ତା ମେ ୧୫ ତାରିଖରେ କୋର୍ଟ ଚୂଡ଼ାନ୍ତ ଦଣ୍ଡାଦେଶ ଶୁଣାଇବେ।
ଏହି ଘଟଣାକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ କୂଟନୈତିକ ତିକ୍ତତା ଦେଖାଦେଇଛି। ଭାରତ ସରକାର ଏହି ଷଡ଼ଯନ୍ତ୍ରରେ କୌଣସି ସରକାରୀ ସମ୍ପୃକ୍ତିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏହାକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି।
