FeaturedGeneralLatest

ଆସାମର ମୋରାନ ବାଇପାସରେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟିତ

ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ପ୍ରତିରକ୍ଷା ଇତିହାସରେ ଶନିବାର ଦିନ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଡିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧା (ଇଏଲଏଫ) ଠାରେ ଏକ ବାୟୁସେନାର C-130J ସୁପର ହର୍କ୍ୟୁଲିସ୍ ପରିବହନ ବିମାନରେ ଅବତରଣ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏକ ରାଜପଥ ରନୱେରେ ଅବତରଣ କରିବାର ଏହା ପ୍ରଥମ ଘଟଣା।

ଏହି ବିମାନଘାଟି କେବଳ ଏକ ସାଧାରଣ ରାଜପଥ ନୁହେଁ, ବରଂ ଏହା ଭାରତର ପ୍ରତିରକ୍ଷା ରଣନୀତିର ଏକ ଅଭିନ୍ନ ଅଙ୍ଗ। ଚୀନ ସୀମାଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଇଏଲଏଫକୁ ବାୟୁସେନା ପାଇଁ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ୭୪ ଟନ୍ ଓଜନର ବିମାନର ଭାର ଏବଂ ଯୁଦ୍ଧବିମାନର ପ୍ରଚଣ୍ଡ ଉତ୍ତାପକୁ ସହ୍ୟ କରିପାରିବ। ଜରୁରୀକାଳୀନ ପରିସ୍ଥିତି କିମ୍ବା ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏହି ରାଜପଥ ରନୱେ ସାମରିକ ଏବଂ ବେସାମରିକ ବିମାନ ଚଳାଚଳକୁ ସହଜ କରିବ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ଭାରତୀୟ ବାୟୁସେନା ଏକ ଭବ୍ୟ ଶକ୍ତି ପ୍ରଦର୍ଶନ କରିଥିଲା। ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ ମୋରାନ ରାଜପଥ ଉପରେ ପ୍ରାୟ ୩୦ ମିନିଟ୍ ଧରି ଉଡ଼ାଣ ପ୍ରଦର୍ଶନ କରିଥିଲେ। ଏହି ବିମାନଗୁଡ଼ିକ ରାଜପଥଠାରୁ ଅବତରଣ ଏବଂ ଉଡ଼ାଣ କରି ଏହାର ସାମରିକ ସାମର୍ଥ୍ୟକୁ ପ୍ରଦର୍ଶିତ କରିଥିଲେ।

ଏହି ଐତିହାସିକ ଅବତରଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଗୌହାଟୀରେ ୫,୪୫୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଗତ ତିନି ମାସ ମଧ୍ୟରେ ଏହା ତାଙ୍କର ତୃତୀୟ ଆସାମ ଗସ୍ତ। ଚଳିତ ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୧୬ ମସିହାରୁ ରାଜ୍ୟରେ ଏନଡିଏ ସରକାର କ୍ଷମତାରେ ଅଛନ୍ତି।

ସାରା ଦେଶରେ ମୋଟ ୨୮ଟି ଏଭଳି ଇଏଲଏଫ ବିକଶିତ ହେଉଥିବା ବେଳେ ମୋରାନ ବାଇପାସ୍ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ସମୟରେ ଶତ୍ରୁ ପକ୍ଷ ପାରମ୍ପରିକ ଏୟାରବେସ୍ଗୁଡ଼ିକୁ ଟାର୍ଗେଟ କରିଥାନ୍ତି। ଏଭଳି ପରିସ୍ଥିତିରେ ଏହି ହାଇୱେ ଏୟାରଷ୍ଟ୍ରିପ୍ ବାୟୁସେନା ପାଇଁ ଏକ ବିକଳ୍ପ ବ୍ୟବସ୍ଥା ଯୋଗାଇଥାଏ, ଯାହାଦ୍ୱାରା ଅଳ୍ପ ସମୟ ମଧ୍ୟରେ ସୈନ୍ୟ ଏବଂ ଯୁଦ୍ଧ ସାମଗ୍ରୀ ସୀମାନ୍ତକୁ ପଠାଯାଇପାରିବ। ଆସାମ ଭଳି ବନ୍ୟାପ୍ରବଣ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ କାର୍ଯ୍ୟରେ ମଧ୍ୟ ଏହି ରନୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।