ଏକାମ୍ର ହେରିଟେଜ ପ୍ରକଳ୍ପ କାର୍ଯ୍ୟ ୨୦୨୬-୨୭ ସୁଦ୍ଧା ଶେଷ ହେବ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟର ଗୌରବ ଏକାମ୍ର ହେରିଟେଜ ପ୍ରକଳ୍ପର କାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନ କିଛି ଗୁରୁତ୍ୱପୂର୍ଣ୍ଣ ନୂଆ କାମ ଯୋଡ଼ାଯିବାକୁ ଯାଉଛି, ଯାହା ଏହାର ପରିସର ଓ ବଜେଟକୁ ଆହୁରି ବୃଦ୍ଧି କରିବ।
ନୂଆ ପ୍ରସ୍ତାବ ଅନୁଯାୟୀ, ପାର୍କିଂ ସେଣ୍ଟରର ଶେଷ ଆଡ଼କୁ ଏକ ଅତ୍ୟାଧୁନିକ ଇଣ୍ଟରପ୍ରିଟେସନ ସେଣ୍ଟର (ବ୍ୟାଖ୍ୟା କେନ୍ଦ୍ର) ନିର୍ମାଣ କରାଯିବ। ଏହି କେନ୍ଦ୍ରର ମୁଖ୍ୟ ଆକର୍ଷଣ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି। ଏହା ଦ୍ୱାରା ଭକ୍ତ ଓ ପର୍ଯ୍ୟଟକମାନେ ଲିଙ୍ଗରାଜଙ୍କ ମହିମା ଏବଂ ମନ୍ଦିରର ଐତିହ୍ୟ ବିଷୟରେ ଭଲ ଭାବରେ ଜାଣିପାରିବେ।
ସେହିପରି, ପବିତ୍ର ବିନ୍ଦୁ ସାଗରକୁ ଏକ ସୁନ୍ଦର ହେରିଟେଜ ହ୍ରଦ (ଐତିହ୍ୟ ପୁଷ୍କରିଣୀ) ଭାବରେ ବିକଶିତ କରାଯିବ। ଏହାର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତ ଆଲୋକ ବ୍ୟବସ୍ଥା କରାଯିବ, ଯାହା ଏହାର ଆଧ୍ୟାତ୍ମିକ ପରିବେଶକୁ ଆହୁରି ମୁଖରିତ କରିବ।
ଆଇନ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଦୁଇଟି ନୂଆ ପ୍ରକଳ୍ପ ଯୋଗୁଁ ସାମଗ୍ରିକ ବଜେଟ ପରିମାଣ ବୃଦ୍ଧି ପାଇବ। ତେବେ ଅତିରିକ୍ତ କାମ ପାଇଁ ବଜେଟ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ଏହି କାମ କରୁଥିବା ପୁରୁଣା ଏଜେନ୍ସି ଅତିରିକ୍ତ କାର୍ଯ୍ୟ କରିବାକୁ ଆଗ୍ରହ ଦେଖାଇ ନ ଥିବାରୁ ଏହି ନୂଆ ଦାୟିତ୍ୱ ଏକ ନୂଆ ଏଜେନ୍ସିକୁ ଦିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
