ପୁରୀରେ ପୁଣି ଅଘଟଣ: ସମୁଦ୍ରରେ ବୁଡ଼ିଗଲେ ୫ ପର୍ଯ୍ୟଟକ
ପୁରୀ (ସଂକେତ ଟିଭି): ପୁରୀ ସମୁଦ୍ରକୂଳରେ ସ୍ନାନ କରିବା ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରିପ୍ କରେଣ୍ଟରେ ବୁଡ଼ି ଯାଇଥିବା ପାଞ୍ଚ ଜଣ ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଏହି ଅଘଟଣ ସମୁଦ୍ରକୂଳର ସେକ୍ଟର-୨ ଏବଂ ସେକ୍ଟର-୧୦ ନିକଟରେ ଘଟିଛି।
ପ୍ରାପ୍ତ ସୂଚନା ମୁତାବକ, ସମୁଦ୍ରକୂଳ ସେକ୍ଟର-୨ ଦିଗବାରେଣୀ ନିକଟରେ ଖୋର୍ଦ୍ଧା ଜିଲ୍ଲା ମଞ୍ଚେଶ୍ୱର ଅଞ୍ଚଳର ବିଭୂ ଦାସ, ହାପି ଦାସ ଓ ସୁଗ୍ୟାନ ଦାସ ଗାଧୋଉଥିଲେ। ସେହି ସମୟରେ ହଠାତ୍ ରିପ୍ କରେଣ୍ଟ ସୃଷ୍ଟି ହୋଇ ସେମାନେ ଗଭୀର ପାଣିକୁ ଭାସିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଉପସ୍ଥିତ ଲାଇଫ୍ ଗାର୍ଡ ସକ୍ରିୟ ହୋଇଥିଲେ। ଲାଇଫ୍ ଗାର୍ଡମାନେ ତୁରନ୍ତ ସମୁଦ୍ରରେ ପଶି ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସେହିପରି ଅନ୍ୟ ଏକ ଅଘଟଣ ସେକ୍ଟର-୧୦ ନିକଟରେ ଘଟିଛି। କଟକ ସହରର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ନାମକ ଦୁଇ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ରିପ୍ କରେଣ୍ଟରେ ବୁଡ଼ିଯାଇଥିଲେ। ସେଠାରେ ନିୟୋଜିତ ଲାଇଫ୍ ଗାର୍ଡ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ସମୁଦ୍ର କୂଳରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।
ପୁରୀ ସମୁଦ୍ରରେ ରିପ୍ କରେଣ୍ଟ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ବେଳେ ଏହାକୁ ପ୍ରଶାସନର ଅବହେଳା ବୋଲି କୁହାଯାଉଛି। ଅନ୍ୟପଟେ ପର୍ଯ୍ୟଟକମାନଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏହି ଦୁର୍ଘଟଣା ପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
