ବିଜେପିର ଉପସଭାପତିଙ୍କ ଇସ୍ତଫା, ୨୦୨୭ ନିର୍ବାଚନ ପୂର୍ବରୁ ଦଳକୁ ଝଟକା
ଚଣ୍ଡିଗଡ(ସଂକେତ ଟିଭି): ଆସନ୍ତା ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ (ବିଜେପି) ଏକ ବଡ଼ ଝଟକା ଲାଗିଛି। ପଞ୍ଜାବ ବିଜେପିର ଉପସଭାପତି ଅରବିନ୍ଦ ଖନ୍ନା ଦଳ ଛାଡ଼ିଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ୪ ବର୍ଷ ପୂର୍ବେ ବିଜେପିରେ ଯୋଗ ଦେଇଥିବା ଅରବିନ୍ଦ ଏବେ ଇସ୍ତଫା ଦେଇ ପୁନର୍ବାର ଶିରୋମଣି ଅକାଳୀ ଦଳ (ଶିଅଦ)ରେ ସାମିଲ ହୋଇଛନ୍ତି।
ସୂଚନାନୁସାରେ, ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ରବିବାର ଦିନ ଅରବିନ୍ଦ ଖନ୍ନାଙ୍କ ଘରକୁ ଯାଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଗଭୀର ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ଅରବିନ୍ଦ ଖନ୍ନା ବିଜେପିରୁ ଇସ୍ତଫା ଦେଇ ଶିରୋମଣି ଅକାଳୀ ଦଳରେ ଯୋଗ ଦେଇଥିଲେ। ଅକାଳୀ ଦଳରେ ସାମିଲ ହେବା ପରେ ତାଙ୍କୁ ସଙ୍ଗରୁର ବିଧାନସଭା ଆସନର ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।
ଅରବିନ୍ଦ ଖନ୍ନା ଜଣେ ପୂର୍ବତନ ବିଧାୟକ ତଥା ବ୍ୟବସାୟୀ ଅଟନ୍ତି। ସେ ୨୦୦୨ ରୁ ୨୦୧୨ ପର୍ଯ୍ୟନ୍ତ ଧୁରୀ ଆସନରୁ କଂଗ୍ରେସର ବିଧାୟକ ଥିଲେ। ୨୦୨୨ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ସେହି ବର୍ଷ ସଙ୍ଗରୁରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେ ବିଜେପି ଟିକେଟରେ ସାଂସଦ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳତା ପାଇ ନଥିଲେ।
ଅକାଳୀ ଦଳରେ ପୁନଃ ଯୋଗ ଦେବା ପରେ ଅରବିନ୍ଦ ଖନ୍ନା ଏହାକୁ ନିଜର ଘରୋଇ ପ୍ରତ୍ୟାବର୍ତ୍ତନ (ହୋମକମିଂ) ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ସେ ଶିରୋମଣି ଅକାଳୀ ଦଳରୁ ହିଁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତେଣୁ ଦଳରେ ପୁଣି ଥରେ ସାମିଲ ହୋଇ ସେ ଅତ୍ୟନ୍ତ ଖୁସି ଓ ଆନନ୍ଦିତ।
