ହୋଟେଲ ଜୟ ମା ଦୁର୍ଗାର ମାଲିକଙ୍କୁ ହତ୍ୟା, ସ୍କୁଟି ଚୋରି
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାମୁଝଡି ନିକଟରେ ଥିବା ହୋଟେଲ ଜୟ ମା ଦୁର୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡାଙ୍କୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସମସ୍ତ ଗ୍ରାହକ ଖାଇପିଇ ଚାଲିଯିବା ପରେ ହୋଟେଲ ଖାଲି ହୋଇଯାଇଥିଲା। ଆଉ କୌଣସି ଗ୍ରାହକ ନ ଥିବାରୁ ମାଲିକ ଗଜେନ୍ଦ୍ର ହୋଟେଲର କବାଟ ବନ୍ଦ କରି ସେଠାରେ ହିଁ ଶୋଇପଡ଼ିଥିଲେ।
ଆଜି ସକାଳୁ ହୋଟେଲର ରୋଷେୟା ରମେଶ ଆସି ମାଲିକଙ୍କୁ ଡାକିଥିଲେ। କିନ୍ତୁ ବାରମ୍ବାର ଡାକ ସତ୍ତ୍ୱେ ମାଲିକ ନ ଉଠିବାରୁ ସେ ସନ୍ଦେହ କରି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଲୋକେ ଦେଖିବାକୁ ପାଇଲେ ଯେ ଗଜେନ୍ଦ୍ର ପଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କର ମୃତ୍ୟୁ ଘଟିଛି। ତୁରନ୍ତ ସିମୁଳିଆ ଥାନାରେ ଖବର ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରାରମ୍ଭିକ ଅନୁମାନ କରାଯାଉଛି ଯେ ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଛି। ଏପରିକି ହତ୍ୟାକାରୀ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ତାଙ୍କର ସ୍କୁଟି ମଧ୍ୟ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ପୋଲିସ ଉଭୟ ଦିଗରୁ ତଦନ୍ତ ଜାରି ରଖିଛି। ଘଟଣା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଖବର ପାଇବା ପରେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଲାବୁଲି କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ରହସ୍ୟ ଭେଦିବା ପାଇଁ ପୋଲିସ ହୋଟେଲର ରୋଷେୟା ରମେଶଙ୍କୁ ପଚରାଉଚରା କରୁଛି। ଏହାସହ ମୃତକଙ୍କ ଭାଇ ସୁରେନ୍ଦ୍ର ପ୍ରସାଦ ପଣ୍ଡା ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
