FeaturedLatestNews

ବିଧାନସଭା ବଜେଟ୍ ଅଧିବେଶନ: ୩୪ ପ୍ଲାଟୁନ୍ ପୁଲିସ ଓ ବ୍ଲାକ୍ କମାଣ୍ଡୋଙ୍କ ସୁରକ୍ଷା ବ୍ୟୁହ

ଭୁବନେଶ୍ୱର(ସଂକେତ ଟିଭି): ଆସନ୍ତା ବଜେଟ୍ ଅଧିବେଶନ ପାଇଁ ବିଧାନସଭାକୁ ଏକ ପାକା ସୁରକ୍ଷା ବଳୟରେ ପରିଣତ କରାଯାଇଛି। ଚଳିତ ଥର ପ୍ରଥମ ଥର ପାଇଁ ବିଧାନସଭା ଚତ୍ୱରରେ ବ୍ଲାକ୍ କମାଣ୍ଡୋ ମୁତୟନ ହେବେ। ଏହି ଅଧିବେଶନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମୋଟ୍ ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ଏହି ସୁରକ୍ଷା ବ୍ୟୁହରେ ନିୟୋଜିତ ରହିବେ। ଏହା ସହିତ ଏକ ସ୍ୱତନ୍ତ୍ର ଟାକ୍ଟିକାଲ ୟୁନିଟ୍ (ଏସ୍ଟିଏଫ୍) ମଧ୍ୟ ନଜର ରଖିବେ। ଆଇନ୍ଶୃଙ୍ଖଳା ପରିଚାଳନା ପାଇଁ ୮ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସ୍ଆଇ ଓ କନଷ୍ଟେବଳ ଏବଂ ୫୫ ଜଣ ମହିଳା କନଷ୍ଟେବଳଙ୍କୁ ଦାୟିତ୍ୱ ଦିଆଯାଇଛି।

ସୁରକ୍ଷାକୁ ଆହୁରି କଡାକଡି କରିବା ପାଇଁ ଡଗ ସ୍କ୍ୱାଡ୍, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମଧ୍ୟ ମୁତୟନ ରହିବ। ସମଗ୍ର ବିଧାନସଭା ପରିସରକୁ ସିସିଟିଭି କ୍ୟାମେରା ମାଧ୍ୟମରେ ନିରୀକ୍ଷଣ କରାଯିବ। ସଶସ୍ତ୍ର ପୁଲିସ ୱାଚ୍ ଟାୱାରରେ ମଧ୍ୟ ନଜର ରଖିବେ। ଏହା ବ୍ୟତୀତ ରୁଫ୍ ଟପ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ପୋଲିସ କମିଶନର ଓ ବରିଷ୍ଠ ପୋଲିସ ଅଧିକାରୀମାନେ।