FeaturedLatestNews

ବିଧାନସଭାର ବଜେଟ୍ ଅଧିବେଶନ: ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କ ସହଯୋଗ ନିବେଦନ

ଭୁବନେଶ୍ୱର(ସଂକେତ ଟିଭି): ଆସନ୍ତାକାଲି ଫେବ୍ରୁଆରୀ ୧୭ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ପୂର୍ବରୁ ଆଜି ବିଧାନସଭା ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶେଷ ହୋଇଛି। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହର ସୁପରିଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳର ବିଧାୟକମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ଆସନ୍ତାକାଲି ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଦେଇ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଫେବ୍ରୁଆରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇ ଆସନ୍ତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ଗଣେଶ୍ୱର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆମେ ବିଧାନସଭାରେ ମୁଖ୍ୟତଃ ଚାଷୀଙ୍କ ସମସ୍ୟା ଏବଂ କଟନୀ ଛଟନୀ ବନ୍ଦ ନ ହେବା ପ୍ରସଙ୍ଗକୁ ପ୍ରଥମେ ଉଠାଇବୁ।”

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରମା ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, “ଆମେ ବାଚସ୍ପତିଙ୍କୁ ବିରୋଧୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ଅନୁରୋଧ କରିଛୁ। ଆମେ ଗୃହରେ କୋଟିଆ ପ୍ରସଙ୍ଗ, ଚାଷୀ ସମସ୍ୟା, ମହିଳା ସୁରକ୍ଷା, ଏସଏସଟି ଏବଂ ଓବିସି ପ୍ରସଙ୍ଗ ଉଠାଇବୁ।”