ମାର୍ଚ୍ଚ ୭ରେ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, କଟକରେ କାର୍ଯ୍ୟକ୍ରମ
ଭୁବନେଶ୍ବର (ସଂକେତ ଟିଭି): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଥମେ ସେ କଟକ ଜିଲ୍ଲାର ମୁଣ୍ଡୁଳି ଅଞ୍ଚଳରେ ଅବସ୍ଥିତ ସିଆରପିଏଫ୍ (କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ) କ୍ୟାମ୍ପସର ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରସ୍ତୁତିର ସମୀକ୍ଷା କରିବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଶାହ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା ମଧ୍ୟ କରିପାରନ୍ତି। ଏହା ସହିତ, ନୂତନ ଫୌଜଦାରୀ ଆଇନ ଭାରତୀୟ ନ୍ୟାୟ ସଂହିତାର ରାଜ୍ୟରେ କାର୍ଯ୍ୟକାରିତା ସମ୍ପର୍କରେ ସେ ସମୀକ୍ଷା କରିବା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ମୂଲ୍ୟାଙ୍କନ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି।
