ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏନପି ମୁଖ୍ୟ ତାରିକ୍ ରେହମାନ
ଢାକା (ସଂକେତ ଟିଭି): ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ବିଏନପି ମୁଖ୍ୟ ତାରିକ୍ ରେହମାନ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଢାକାର ସଂସଦ ପରିସର ସ୍ଥିତ ସାଉଥ ପ୍ଲାଜାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ଏବଂ ତାଙ୍କ ସହ ୨୯୮ ଜଣ ସାଂସଦ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ୧୩ରୁ ଅଧିକ ଦେଶର ପ୍ରତିନିଧି ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଥିବା ବେଳେ ଭାରତ ତରଫରୁ ଲୋକସଭା ଅଧ୍ୟକ୍ଷ ଓମ ବିରଲା ଢାକାରେ ପହଞ୍ଚିଛନ୍ତି।
ବାଂଲାଦେଶ ଜାତୀୟତାବାଦୀ ଦଳ (ବିଏନପି) ସଂସଦୀୟ ଦଳର ନେତା ଭାବରେ ତାରିକ୍ ରେହମାନଙ୍କୁ ଚୟନ କରାଯିବା ପରେ ଏହି ନୂତନ ସରକାର ଗଠନ ପ୍ରକ୍ରିୟା ଶେଷ ହୋଇଛି। ଏହାପୂର୍ବରୁ ସୋମବାର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଇସ୍ତଫା ପ୍ରଦାନ କରିଥିଲେ। ଗତ ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରିପ୍ରେକ୍ଷୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ପତନ ପରେ ୟୁନୁସଙ୍କ ନେତୃତ୍ୱରେ ଏହି ଅନ୍ତରୀଣ ସରକାର ଗଠିତ ହୋଇଥିଲା।
ନୂତନ ସରକାର ଗଠନ ହେବାର କିଛି ଘଣ୍ଟା ମଧ୍ୟରେ ବିଏନପି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୂର୍ବତନ ଅନ୍ତରୀଣ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ‘ଜୁଲାଇ ଚାର୍ଟର’ କାର୍ଯ୍ୟକାରୀ କରାଯିବ ନାହିଁ। ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ଗଣତନ୍ତ୍ରର ଉନ୍ନତି ପାଇଁ ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଜୁଲାଇ ଚାର୍ଟର ପ୍ରସ୍ତାବ ଦେଇଥିଲେ। ଏନେଇ ଏକ ଜନମତ ସଂଗ୍ରହ ମଧ୍ୟ କରାଯାଇଥିଲା, ଯାହାକି ୫୦ ପ୍ରତିଶତରୁ ଅଧିକ ନାଗରିକଙ୍କ ସମର୍ଥନ ପାଇଥିଲା। ବିଏନପିର ଏହି ନିଷ୍ପତ୍ତି ମହମ୍ମଦ ୟୁନୁସଙ୍କ ପାଇଁ ଏକ ବଡ଼ ଝଟକା ଭାବରେ ଦେଖାଯାଉଛି।
ଏହା ସହିତ, ମଙ୍ଗଳବାର ତାରିକ ରହମାନଙ୍କ ସମେତ ବିଏନପିର ସମସ୍ତ ସାଂସଦ ସାମ୍ବିଧାନିକ ସଂସ୍କାର କମିସନର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ ଗତ ଜନମତ ସଂଗ୍ରହର ଫଳାଫଳକୁ ଗ୍ରହଣ କରାଯିବ ନାହିଁ। ଏହି ଘଟଣାକ୍ରମ ବାଂଲାଦେଶର ରାଜନୀତିରେ ଏକ ନୂତନ ମୋଡ଼ ଆଣିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପୋଷଣ କରିଛନ୍ତି।
