FeaturedGeneralLatest

ଜାନୁଆରୀରେ ବଢି ୫ ପ୍ରତିଶତ ଛୁଇଁଲା ବେରୋଜଗାରୀ ହାର

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଜାନୁଆରୀ ମାସରେ ବୃଦ୍ଧି ପାଇ ୫ ପ୍ରତିଶତକୁ ଛୁଇଁଛି। ଗତବର୍ଷ ଡିସେମ୍ବରରେ ଏହି ହାର ୪.୮ ପ୍ରତିଶତ ଥିଲା। ସୋମବାର ପ୍ରକାଶିତ ଏକ ସରକାରୀ ସର୍ଭେ ‘ପିରିଅଡିକ୍ ଲେବର ଫୋର୍ସ୍ ସର୍ଭେ (ପିଏଲ୍‌ଏଫ୍‌ଏସ୍‌)’ ରୁ ଏହି ସୂଚନା ମିଳିଛି।

ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ମାସରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବେରୋଜଗାରି ହାରରେ ସାମାନ୍ୟ ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ବେରୋଜଗାରି ହାର ଡିସେମ୍ବରରେ ୩.୯ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୪.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସହରାଞ୍ଚଳରେ ଏହି ହାର ୬.୭ ପ୍ରତିଶତରୁ ୭.୦ ପ୍ରତିଶତକୁ ବଢ଼ିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ନ୍ୟାସନାଲ୍ ସ୍ଟାଟିଷ୍ଟିକ୍ସ ଅଫିସ୍) କହିଛି ଯେ, ଏଲ୍‌ଏଫ୍‌ପିଆର୍‌ (ଶ୍ରମଶକ୍ତି ଅଂଶଗ୍ରହଣ ହାର) ଏବଂ ଡବ୍ଲ୍ୟୁପିଆର୍‌ (ଶ୍ରମିକ ଜନସଂଖ୍ୟା ଅନୁପାତ) ହ୍ରାସ ପାଉଥିବାବେଳେ ବେରୋଜଗାରି ହାର ବୃଦ୍ଧି ପାଇଛି।

ଏହି ବୃଦ୍ଧି ପଛରେ ଋତୁକାଳୀନ କାରଣ, ଅମଳ ପରେ ଲୋକଙ୍କ ହାତରେ କାମଧନ୍ଦା ନ ରହିବା ଏବଂ ନିରୁତ୍ସାହିତାର ପ୍ରଭାବ ରହିଥିବା ସର୍ଭେରେ ଉଲ୍ଲେଖ କରାଯାଇଛି। ଶୀତଦିନେ ଗ୍ରାମାଞ୍ଚଳରେ ନିର୍ମାଣ, କୃଷି ଆନୁଷଙ୍ଗିକ କାର୍ଯ୍ୟ, ପରିବହନ ଏବଂ କ୍ଷୁଦ୍ର ବ୍ୟବସାୟ ମାନ୍ଦା ପଡ଼ିଥାଏ, ଯାହାର ପ୍ରଭାବ ନିଯୁକ୍ତି ହାର ଉପରେ ପଡ଼ିଥାଏ।

ଲିଙ୍ଗଗତ ଭିତ୍ତିରେ ଦେଖିବାକୁ ଗଲେ, ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ପୁରୁଷଙ୍କ ବେରୋଜଗାରି ହାର ଜାନୁଆରୀରେ ସ୍ଥିର ରହିଥିବାବେଳେ ସେହି ବୟସର ମହିଳାମାନଙ୍କ କ୍ଷେତ୍ରରେ ବେରୋଜଗାରି ହାର ଅଧିକ ରହିଛି। ସେହିପରି ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲ୍‌ଏଫ୍‌ପିଆର୍‌) ଡିସେମ୍ବରରେ ୫୬.୧ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫୫.୯ ପ୍ରତିଶତକୁ ହ୍ରାସ ପାଇଛି।

ଗ୍ରାମାଞ୍ଚଳରେ ଏଲ୍‌ଏଫ୍‌ପିଆର୍‌ ହାର ୫୯.୦% ରୁ ୫୮.୭% କୁ କମିଥିବାବେଳେ ସହରାଞ୍ଚଳରେ ଏହା ୫୦.୨% ରୁ ୫୦.୩% କୁ ସାମାନ୍ୟ ବୃଦ୍ଧି ପାଇଛି। ମହିଳା ଶ୍ରମିକଙ୍କ କଥା କହିବାକୁ ଗଲେ, ଜାନୁଆରୀରେ ସେମାନଙ୍କର ଅଂଶଗ୍ରହଣ ହାର ୩୫.୧% ରହିଛି। ଗ୍ରାମାଞ୍ଚଳରେ ମହିଳା ଏଲ୍‌ଏଫ୍‌ପିଆର୍‌ ୩୯.୭% ଥିବାବେଳେ ସହରାଞ୍ଚଳରେ ଏହା ୨୫.୫% ରହିଛି।