FeaturedLatestNews

ବିଶ୍ଵ ମହିଳା ଦିବସରେ ରାଜ୍ୟର ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ଵ ମହିଳା ଦିବସରେ ରାଜ୍ୟର ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ଏହି ଘୋଷଣା କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

କାକଟପୁରଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡା ଏହି ସୂଚନା ଦେଇଥିଲେ। ତାଙ୍କ ଘୋଷଣା ଅନୁଯାୟୀ, ଏକ କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର କୋଟି ଟଙ୍କା ସ୍ଥାନାନ୍ତର କରାଯିବ। ଏହାକୁ ମିଶାଇ ସୁଭଦ୍ରା ଯୋଜନାର ମୋଟ୍ ଚାରୋଟି କିସ୍ତିରେ ମହିଳାମାନେ ୧୦ ହଜାର ଟଙ୍କା ପାଇସାରିଲେଣି।

ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଚତୁର୍ଥ କିସ୍ତି ଟଙ୍କା ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବା ପରେ ଗ୍ରାମୀଣ ଅର୍ଥନୀତିରେ ସାମୁହିକ ବିକାଶ ହେବ। ଏହା ମହିଳାମାନଙ୍କୁ ଆର୍ଥିକ ସ୍ୱଚ୍ଛଳତା ପ୍ରଦାନ କରିବ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ସେ ମତ ପୋଷଣ କରିଥିଲେ।

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା। ମାର୍ଚ୍ଚ ୮ ତାରିଖରେ ଟଙ୍କା ଜମା ହେବା ଦ୍ୱାରା ବିଶ୍ଵ ମହିଳା ଦିବସର ମହତ୍ତ୍ୱ ଆହୁରି ବୃଦ୍ଧି ପାଇବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଥିଲେ।