FeaturedLatestNews

ଧାନବସ୍ତା ଧରି ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ, ୨୫ କୃଷକ କର୍ମୀ ଗିରଫ

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ସରକାରଙ୍କ ଧାନ କ୍ରୟ ନୀତି ବିରୋଧରେ ଆନ୍ଦୋଳନର ମୂଲ୍ୟ ମହଙ୍ଗା ପଡ଼ିଛି। ନବନିର୍ମାଣ କୃଷକ ସଙ୍ଗଠନର ନେତା ଓ କର୍ମୀମାନେ ଧାନବସ୍ତା ଧରି ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ଘଟଣାରେ ୨୫ ଜଣ କର୍ମୀଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ଦିନ ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ଘଟଣା ଘଟିଛି। କୃଷକ ସଂଗଠନ ପକ୍ଷରୁ ଲୋୟର୍ ପି.ଏମ.ଜି ନିକଟରେ ଧାନ କିଣା ଅବ୍ୟବସ୍ଥା ବିରୋଧରେ ପ୍ରତିବାଦ କରାଯାଉଥିଲା। ପରେ ଆନ୍ଦୋଳନକାରୀମାନେ ଧାନ ବସ୍ତା ଧରି ବିଧାନସଭା ଗୃହ ଅଭିମୁଖେ ପଦଯାତ୍ରା କରିଥିଲେ।

ଏହାକୁ ନେଇ ବିଧାନସଭା ପରିସର ବାହାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହେବା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାରେ ନବନିର୍ମାଣ କୃଷକ ସଙ୍ଗଠନର ୨୫ ଜଣ କର୍ମକର୍ତ୍ତାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି।

ଗିରଫ କର୍ମୀମାନଙ୍କୁ କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ପୋଲିସ ବାରାକ୍ରେ ମେଡିକାଲ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଗିରଫ ନେତା ଓ କର୍ମୀଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଗିରଫ ହୋଇଥିବା କର୍ମୀମାନଙ୍କ ମଧ୍ୟରେ ନବନିର୍ମାଣ ଯୁବ ଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ଗିରଫ ଘଟଣାରେ ପ୍ରତିକ୍ରିୟା ରଖି ନବନିର୍ମାଣ କୃଷକ ସଙ୍ଗଠନ ନେତା ମନୱର ଅଲ୍ଲୀ ପୋଲିସ ଉପରେ ଅତ୍ୟାଚାରର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ପୋଲିସ ଅତ୍ୟାଚାର ବର୍ଦ୍ଦଷ୍ଟ କରାଯିବ ନାହିଁ। ଚାଷୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆମେ ବିଧାନସଭା ଗେଟ୍ ଭିତରେ ଧାନବସ୍ତା ପୁରାଇ ଦେଇ ସରକାରଙ୍କ ଅବ୍ୟବସ୍ଥାର ଫିଲ୍ମ ଦେଖାଇ ଦେଇଛୁ।”

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଚାଷୀ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ଡାକରା ଦେଇଥିଲା ଏବଂ କଂଗ୍ରେସ ଦଳ ଏହି ବନ୍ଦକୁ ନୈତିକ ସମର୍ଥନ ଜଣାଇଥିଲା।