FeaturedLatestNews

ବିଧାନସଭାରେ ଚାଷୀ ଝଡ଼: ଟେବୁଲ ଉପରେ ଧାନ ଢାଳି ବିରୋଧୀଙ୍କ ହଟଗୋଳ

ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିବସରେ ଚାଷୀ ସମସ୍ୟା ପ୍ରସଙ୍ଗରେ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀଙ୍କ ଅବହେଳା ଅଭିଯୋଗକୁ କେନ୍ଦ୍ର କରି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରିଛନ୍ତି। ଏପରିକି ବିଜେଡି ବିଧାୟକମାନେ ବିଧାନସଭା ସଚିବଙ୍କ ଟେବୁଲ ଉପରେ ଧାନ ଢାଳି ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି।

ଧାନ କିଣା ପ୍ରକ୍ରିୟାରେ ଅନିୟମିତତା ଏବଂ ଚାଷୀଙ୍କୁ ପ୍ରତିଶୃତ ଇନପୁଟ୍ ସହାୟତା ରାଶି ନଦେବା ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ମତ ରଖିଥିଲେ। “ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିଲା ଯେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସବସିଡି ଦିଆଯିବ। କିନ୍ତୁ ବର୍ତ୍ତମାନ ସରକାର ଧାନ କିଣୁ ନାହାନ୍ତି। ସରକାର ଖୋଲାଖୋଲି ଭାବେ କହିଦିଅନ୍ତୁ ଯେ ସେମାନେ ନିର୍ବାଚନୀ ପ୍ରତିଶୃତି ରଖିପାରିବେ ନାହିଁ।” ପ୍ରତ୍ୟେକ ଜିଲ୍ଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କ ଧାନ କିଣିବାକୁ ଦାବି କରି ବିଜେଡି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛି।

କାହିଁକି ଦେଉଛନ୍ତି ୭୩୧, କୁଆଡ଼େ ଗଲା ୬୯ ଟଙ୍କା?

ଏହି ପ୍ରସଙ୍ଗରେ ଆହୁରି ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି ଯେତେବେଳେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ ଚାଷୀଙ୍କୁ ମିଳୁଥିବା ବାସ୍ତବ ରାଶି ଘୋଷଣା କରାଯାଇଥିବା ରାଶିଠାରୁ କମ୍। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି, “୮୦୦ ଟଙ୍କା ଘୋଷଣା କରି ୭୩୧ ଟଙ୍କା କାହିଁକି ଦିଆଯାଉଛି? ଚାଷୀଙ୍କୁ ୬୯ ଟଙ୍କାରୁ କାହିଁକି ବଞ୍ଚିତ କରାଯାଉଛି?” ଏହାକୁ କେନ୍ଦ୍ର କରି ବିଜେଡି ଆହୁରି ଆକ୍ରାମକ ହୋଇପଡ଼ିଛି ଏବଂ ଚାଷୀ ଆନ୍ଦୋଳନକୁ ତେଜିବାର ଚେତାବନୀ ଦେଇଛି।

କଂଗ୍ରେସର ସମର୍ଥନ

ଚାଷୀଙ୍କ ସମସ୍ୟାକୁ ନେଇ କଂଗ୍ରେସ ମଧ୍ୟ ବିଜେଡିକୁ ସମର୍ଥନ ଜଣାଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, “ଓଡ଼ିଶାରେ ଚାଷୀ ସମସ୍ୟା ବ୍ୟାପକ। ସରକାରଙ୍କ କଟନୀ ଛଟନୀ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ମିଲରମାନଙ୍କ ସହ ସରକାରଙ୍କ ସମ୍ପର୍କ ଯୋଗୁଁ ମଣ୍ଡିରେ ଧାନ ଉଠୁନାହିଁ। ଡବଲ ଇଞ୍ଜିନ ସରକାରରେ ଚାଷୀ ସମ୍ପୂର୍ଣ୍ଣ ଅବହେଳିତ। ଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବୁ।”

ବିଜେପିର ପ୍ରତିକ୍ରିୟା: ‘ବିରୋଧୀ କରୁଛନ୍ତି ରାଜନୀତି’

ସେପଟେ ସରକାରଙ୍କ ପକ୍ଷ ସମର୍ଥନ କରି ବିଜେପି ବିଧାୟକ ବାବୁ ସିଂ ବିରୋଧୀଙ୍କୁ ପାଳଟା ଦେଇଛନ୍ତି। ସେ କହିଛନ୍ତି, “ଯେଉଁମାନେ ନିଜେ ଶାସନରେ ଥିବାବେଳେ ୧୦୦ ଟଙ୍କା ମଧ୍ୟ ଠିକ୍ ଭାବେ ଦେଇ ନଥିଲେ, ସେମାନେ ଆଜି ୮୦୦ ଟଙ୍କା କହିବାର କ’ଣ ନୈତିକ ଅଧିକାର ରଖିଛନ୍ତି? ଆମେ ନିର୍ବାଚନ ସମୟରେ ୩୧୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲୁ ଏବଂ ତାହା ଦେଉଛୁ। ଚାଷୀ ଖୁସି ଅଛନ୍ତି। ବିରୋଧୀ କେବଳ ରାଜନୀତି କରୁଛନ୍ତି।”