୧୧୭୧ ସ୍କୁଲ ବସ୍ର ଫିଟନେସ୍ ନାହିଁ, ରାଜ୍ୟରେ ଚାଲୁଛି ୪୦୪୫ ବସ୍ : ପରିବହନ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲୁଥିବା ୧୧୭୧ଟି ସ୍କୁଲ ବସ୍ର ଫିଟନେସ୍ (ଯୋଗ୍ୟତା ପ୍ରମାଣପତ୍ର) ନାହିଁ। ଅର୍ଥାତ୍, ଏହି ଗାଡ଼ିଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନେବାଆଣିବା ପାଇଁ ଆଇନଗତ ଭାବେ ଅନୁମୋଦିତ ନୁହେଁ।
ରାଜ୍ୟ ପରିବହନ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍କୁଲରେ ମୋଟ୍ ୪୦୪୫ଟି ବସ୍ ପିଲାମାନଙ୍କୁ ନେବା ଆଣିବା କାର୍ଯ୍ୟ କରୁଛି। ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମାତ୍ର ୧୭ଟି ବସ୍ ବିନା ଫିଟନେସ୍ରେ ଗଡୁଛି। ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।
ଏହି ପରିପ୍ରେକ୍ଷୀରେ ପରିବହନ ମନ୍ତ୍ରୀ କଡ଼ା ମନ୍ତବ୍ୟ ଦେଇଛନ୍ତି। ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଗାଡ଼ିର ଫିଟନେସ୍ ପାଇଁ ଡେଡଲାଇନ୍ ଦେବା ଲୋକଙ୍କୁ ବାଧିବା ଭଳି କଥା। ସେ କହିଛନ୍ତି, ତୁରନ୍ତ ସମସ୍ତ ଗାଡ଼ିର ଫିଟନେସ୍ କରାଯିବା ଜରୁରୀ। ଯଦି କୌଣସି ଗାଡ଼ି ଏଥିରେ ବିଫଳ ହୁଏ, ତେବେ ତାହାର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ବାତିଲ କରାଯିବ। ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ୍ ବସ୍, ଯେକୌଣସି ଗାଡ଼ି ଯାହାର ଫିଟନେସ୍ ନାହିଁ, ସେ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ପରିବହନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଅଟୋମେଟିକ୍ ଟେଷ୍ଟିଂ ସେଣ୍ଟର (ATS) ଜରିଆରେ ଫିଟନେସ୍ ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ପୂର୍ବରୁ ଆଖି ଦେଖା ଭିତ୍ତିରେ ଫିଟନେସ୍ ଦିଆଯାଉଥିଲା। କିନ୍ତୁ ଏବେ ATS ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ATS ନିର୍ମାଣରେ ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ଥରେ ମାନୁଆଲି ଫିଟନେସ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସ୍କୁଲ ବସ୍ଗୁଡ଼ିକର ଫିଟନେସ୍ ଓ PUCC (ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର) ବାଧ୍ୟତାମୂଳକ ଭାବେ ଆବଶ୍ୟକ। ଏନେଇ ବ୍ୟାପକ ଯାଞ୍ଚ କାର୍ଯ୍ୟ ଜାରି ରହିବ। କିଛି ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇସାରିଛି। ଯଦି କୌଣସି ଗାଡ଼ି ବାରମ୍ବାର ନିୟମ ଉଲ୍ଲଂଘନ କରେ ଏବଂ ଅମାନିଆ ହୁଏ, ତେବେ ତାହାର RC ବାତିଲ କରିବାକୁ ପରିବହନ ବିଭାଗ ପଛଘୁଞ୍ଚା ଦେବନାହିଁ।
