ଭୁବନେଶ୍ଵରରେ ନିର୍ମାଣ ହେବ ‘ସ୍କାଏୱାକ୍’; ୨୦ କୋଟି ବ୍ୟୟ ଅନୁମୋଦନ
ଭୁବନେଶ୍ବର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଥଚାରୀଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ଏନଏଚଏଆଇ (NHAI) ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭୁବନେଶ୍ଵରର ପଳାଶୁଣୀଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ଦୂରତ୍ଵ ପାଇଁ ଏକ ଅତ୍ୟାଧୁନିକ ସ୍କାଏୱାକ୍ (Skywalk) ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆସନ୍ତା ୩ ମାସ ଭିତରେ ଏହି ସ୍କାଏୱାକ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ ହେବ। ଏହାପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ। ପଳାଶୁଣୀ ଅଞ୍ଚଳରେ ନିରନ୍ତର ଯାନବାହାନର ଗହଳି ଏବଂ ପଥଚାରୀମାନେ ରାସ୍ତା ଅତିକ୍ରମ କରିବା ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏହି ସ୍କାଏୱାକ୍ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ।
ଏହାସହ, ପଳାଶୁଣୀଠାରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଅନ୍ୟ ଏକ ପ୍ରକଳ୍ପ ହାତକୁ ନିଆଯାଇଛି। ସେଠାରେ ଥିବା ବ୍ରିଜ୍ ନିକଟରେ ୨୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ରାସ୍ତାକୁ ୬ ଲେନ୍ରେ ପରିଣତ କରାଯିବ। ଏହାଦ୍ୱାରା ସେହି ଅଞ୍ଚଳର ଯାନବାହାନର ଚାପ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ରାଜଧାନୀବାସୀ ଏନଏଚଏଆଇର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ, ଏଠାରେ ଥିବା ପୁରୁଣା ଫୁଟ୍ ଓଭରବ୍ରିଜ୍ ବହୁ ଲୋକ ବ୍ୟବହାର କରୁଥିଲେ। ଏବେ ଏହି ଅତ୍ୟାଧୁନିକ ସ୍କାଏୱାକ୍ କିଭଳି ହେବ ତାକୁ ଦେଖିବାକୁ ସେମାନେ ଆଗ୍ରହୀ।
ଉଲ୍ଲେଖଯୋଗ୍ୟ, ଏହା ଓଡ଼ିଶାରେ ପ୍ରଥମ ସ୍କାଏୱାକ୍ ହେବ। ଦିଲ୍ଲୀ, ନୋଏଡ଼ା ଭଳି ସହରରେ ଏହା ପୂର୍ବରୁ ନିର୍ମିତ ହୋଇଥିବାବେଳେ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। କେବଳ ଭୁବନେଶ୍ଵର ନୁହେଁ, ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୁ କଟକର ମଙ୍ଗୁଳି ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ରାସ୍ତାରେ ବିଭିନ୍ନ ଜନଗହଳି ଅଞ୍ଚଳ ଚିହ୍ନଟ କରାଯାଇ ୪ରୁ ୫ଟି ସ୍କାଏୱାକ୍ ନିର୍ମାଣ କରିବାକୁ NHAI ଯୋଜନା କରିଛି। ଏନଏଚଏଆଇର ଆଞ୍ଚଳିକ ଅଧିକାରୀଙ୍କ ସୂଚନା ମୁତାବକ, ଜନସଂଖ୍ୟା ଘନତ୍ଵ ଓ ପଥଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ଏହି ସ୍କାଏୱାକ୍ ନିର୍ମାଣ କରାଯିବ।
