ଓଡ଼ିଶାର ଆର୍ଥିକ ସର୍ଭେ ରିପୋର୍ଟ: ଜାତୀୟ ହାରକୁ ପଛରେ ପକାଇଲା ରାଜ୍ୟର ଅଭିବୃଦ୍ଧି ହାର
ଭୁବନେଶ୍ବର (ସଂକେତ ଟିଭି): ଆସନ୍ତାକାଲି (ଶୁକ୍ରବାର) ବିଧାନସଭାରେ ଆଗତ ହେବାକୁ ଥିବା ଓଡ଼ିଶା ବଜେଟ ପୂର୍ବରୁ ଆଜି ଗୃହରେ ଉପସ୍ଥାପିତ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରିପୋର୍ଟ ଉପସ୍ଥାପନ କରିବା ସହିତ କହିଛନ୍ତି ଯେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରକୁ ଅତିକ୍ରମ କରିଛି। କୃଷି, ଶିଳ୍ପ, ସେବା, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଜିଏସଡିପି ଓ ମୁଣ୍ଡପିଛା ଆୟରେ ରେକର୍ଡ ବୃଦ୍ଧି:
ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ମୂଲ୍ୟ ୯.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ୯.୫ ପ୍ରତିଶତ ଅଧିକ। ବାସ୍ତବିକ ବୃଦ୍ଧି ହାର ୭.୯ ପ୍ରତିଶତ ରହିବାର ଅନୁମାନ କରାଯାଇଛି, ଯାହା ଜାତୀୟ ହାର ୭.୪ ପ୍ରତିଶତଠାରୁ ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି। ଜାତୀୟ ହାର ୬.୯ ପ୍ରତିଶତ ଥିବାବେଳେ ଓଡ଼ିଶାର ଆୟ ବୃଦ୍ଧି ହାର ଏହାଠାରୁ ଅଧିକ ରହିଛି। ୧୫ ବର୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମଧ୍ୟରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୨୨ର ୫୮.୧ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୪ରେ ୬୪.୫ ପ୍ରତିଶତକୁ ବୃଦ୍ଧି ପାଇଛି। ମହିଳାଙ୍କ ଅଂଶଗ୍ରହଣ ୩୭.୬ ପ୍ରତିଶତରୁ ବୃଦ୍ଧି ପାଇ ୪୮.୭ ପ୍ରତିଶତକୁ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ଅଧିକ।
କୃଷି, ଦୁଗ୍ଧ, ଅଣ୍ଡା ଓ ମତ୍ସ୍ୟ ଉତ୍ପାଦନରେ ନଜିର:
ରାଜ୍ୟ ଅର୍ଥନୀତିରେ କୃଷି ଓ ସହଯୋଗୀ କ୍ଷେତ୍ରର ଅବଦାନ ୧୯.୬ ପ୍ରତିଶତ ରହିଥିବାବେଳେ ଏହି କ୍ଷେତ୍ରର ବୃଦ୍ଧି ହାର ୫.୩ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ୨୦୨୪–୨୫ରେ ଖାଦ୍ୟଶସ୍ୟ ଉତ୍ପାଦନ ୧୫୦.୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି। ଧାନ ଉତ୍ପାଦନ ବୃଦ୍ଧି ସହ ୯୨.୬ ଲକ୍ଷ ମେଟ୍ରିକ ଟନ ଧାନ ସରକାର କ୍ରୟ କରିଛନ୍ତି। ପ୍ରାୟ ୨୦ ଲକ୍ଷ ଚାଷୀଙ୍କୁ ୨୧,୩୦୦ କୋଟି ଟଙ୍କାର ଏମଏସପି ଓ ୭,୧୪୦ କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ କରାଯାଇଛି। ସରକାରୀ କ୍ରୟ ମୋଟ ଉତ୍ପାଦନର ୭୮ ପ୍ରତିଶତକୁ ଆବରଣ କରିଛି। ମାଣ୍ଡିଆ କ୍ରୟରେ ଦୁଇଗୁଣା ବୃଦ୍ଧି ହୋଇଛି। ଜଳସେଚନ ସୁବିଧା ୭୪.୨ ଲକ୍ଷ ହେକ୍ଟରକୁ ବିସ୍ତାରିତ ହୋଇଥିବାବେଳେ ଚାଷ ଘନତା ୧୬୫ ପ୍ରତିଶତକୁ ବୃଦ୍ଧି ପାଇଛି।
ସେହିପରି ଦୁଗ୍ଧ ଉତ୍ପାଦନ ୨୭.୧ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଅଣ୍ଡା ଉତ୍ପାଦନ ୪୦୬ କୋଟିରେ ପହଞ୍ଚିଥିବାବେଳେ ମତ୍ସ୍ୟ ଉତ୍ପାଦନ ୧୧.୯୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ସାମୁଦ୍ରିକ ପଣ୍ୟ ରପ୍ତାନିରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛି।
ଶିଳ୍ପ, ସେବା ଓ ସାମାଜିକ କ୍ଷେତ୍ରରେ ଅଗ୍ରଗତି:
ଶିଳ୍ପ କ୍ଷେତ୍ର ରାଜ୍ୟର ମୋଟ ରାଜ୍ୟ ମୂଲ୍ୟ ସଂଯୋଜନ (ଜିଏସଭିଏ)ରେ ୪୧.୩ ପ୍ରତିଶତ ଅବଦାନ ରଖିଥିବାବେଳେ ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ହାର ୮.୩ ପ୍ରତିଶତ ରହିଛି। ୨୦୨୫ରେ ୨୪୪ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ଫଳରେ ୫.୬୬ ଲକ୍ଷ କୋଟି ଟଙ୍କାର ନିବେଶ ଓ ୩.୩୫ ଲକ୍ଷ ଚାକିରି ସୃଷ୍ଟି ହେବାର ସମ୍ଭାବନା ରହିଛି। ସେବା କ୍ଷେତ୍ର ୩୯.୧ ପ୍ରତିଶତ ଅବଦାନ ସହ ୯.୩ ପ୍ରତିଶତ ବୃଦ୍ଧି ପଥରେ ଗତି କରୁଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ୨୦୧୯–୨୦ର ୬.୨ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪–୨୫ରେ ୧୯.୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସ୍କୁଲ ଶିକ୍ଷା ବଜେଟ ଦୁଇ ବର୍ଷ ମଧ୍ୟରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଭର୍ତ୍ତି ହାର ପ୍ରାଥମିକ ଓ ମଧ୍ୟମିକ ସ୍ତରରେ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।
ରାଜ୍ୟର ଋଣ-ଜିଏସଡିପି ଅନୁପାତ ୧୩.୬ ପ୍ରତିଶତ ରହିଛି, ଯାହା ଆର୍ଥିକ ଦାୟିତ୍ୱ ବିଧେୟକ (ଏଫଆରବିଏମ) ସୀମାଠାରୁ କମ୍। ଜିଏସଡିପିର ୬.୬ ପ୍ରତିଶତ ପୁଞ୍ଜି ଖର୍ଚ୍ଚ ହେବାକୁ ଥିବାବେଳେ ଏହି କ୍ଷେତ୍ରରେ ରାଜ୍ୟ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି।
ରିପୋର୍ଟ ନେଇ ସରକାର-ବିରୋଧୀ ମୁହାଁମୁହିଁ:
ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, “ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ଯେ ୨୦୨୫-୨୬ରେ ଓଡ଼ିଶାର ଅର୍ଥନୈତିକ ବିକାଶ ହେବ। ଗତ ବର୍ଷ ତୁଳନାରେ ଅଭିବୃଦ୍ଧି ହୋଇଛି ଏବଂ ଭାରତର ହାରଠାରୁ ମଧ୍ୟ ଅଧିକ। ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି।”
ଅପରପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, “ନିର୍ବାଚନ ପୂର୍ବରୁ ସୁନେଲି ସ୍ୱପ୍ନ ଦେଖାଇ ଭୋଟ ନେଇଥିଲେ। ଚାଷୀଙ୍କ ଧାନ ନେବା ଓ ସମସ୍ତଙ୍କୁ ଘର ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। କେଉଁ ଯୋଜନା ଯୋଗୁଁ ମୁଣ୍ଡପିଛା ଆୟ ବୃଦ୍ଧି ହୋଇଛି? ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ, ତାପରେ ନୂଆ ସ୍ୱପ୍ନ ଦେଖାନ୍ତୁ।”
