ମାଟ୍ରିକ ପରୀକ୍ଷା ଆରମ୍ଭ: ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ କଲେ ପରୀକ୍ଷା କେନ୍ଦ୍ର ପରିଦର୍ଶନ
କଟକ (ସଂକେତ ଟିଭି): ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ରାଜ୍ୟର ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଛନ୍ତି। ଏଥିପାଇଁ ରାଜ୍ୟର ୩ ହଜାର ୮୨ ଟି ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିଲା।
କଟକ ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ପରୀକ୍ଷା କେନ୍ଦ୍ର ସାମ୍ନାରେ ଶୁଭ କଳସୀ ସ୍ଥାପନ କରାଯିବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପ୍ରତି ପରୀକ୍ଷାର୍ଥୀଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରିଥିଲେ।
ସକାଳ ସାଢ଼େ ୮ ଟା ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀ ନିର୍ଦ୍ଧାରିତ କେନ୍ଦ୍ରରେ ପହଞ୍ଚି ସାରିଥିଲେ। ଠିକ୍ ୯ ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ ଟାରେ ଶେଷ ହୋଇଥିଲା। ପରୀକ୍ଷା ଶେଷରେ ପରୀକ୍ଷାର୍ଥୀମାନେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରଶ୍ନପତ୍ର ସରଳ ଥିଲା ଏବଂ ପରୀକ୍ଷା କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ ଥିଲା।
ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ସମଗ୍ର ପରୀକ୍ଷା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ବୋର୍ଡ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପରୀକ୍ଷା ସମ୍ପୂର୍ଣ୍ଣ ସୁରୁଖୁରୁରେ ସମ୍ପନ୍ନ ହୋଇଛି ଏବଂ କୌଣସି ସ୍ଥାନରୁ ଅପ୍ରିୟ ଘଟଣାର ଖବର ମିଳିନାହିଁ।
ଚଳିତ ବର୍ଷ ରାଜ୍ୟର ୩ ହଜାର ୯ ଶହ ୯୯ ଜଣ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ଅତିରିକ୍ତ ୫୦ ମିନିଟ୍ ସମୟ ଦିଆଯାଇଛି।
ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୭ ଟି ସ୍ପେଶାଲ ସ୍କ୍ୱାର୍ଡ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସ୍ତରରେ ୭୨ ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିଛି।
ରାଜଧାନୀ ଭୁବନେଶ୍ୱରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ହଠାତ୍ କେତେକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏ ବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ରେଜଲ୍ଟ ଶୀଘ୍ର ପ୍ରକାଶ ପାଇବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ଏବଂ ପରୀକ୍ଷା ସ୍ୱଚ୍ଛତାର ସହ ଚାଲିଛି। କୌଣସି କେନ୍ଦ୍ରରେ ଅନିୟମିତତା ଦେଖିବାକୁ ମିଳିନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରି ନଥାନ୍ତି, ତାହାର ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।
ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଶନିବାର (ଫେବୃଆରୀ ୨୨) ପରୀକ୍ଷାର୍ଥୀମାନେ ଦ୍ୱିତୀୟ ଭାଷା (ଇଂରାଜୀ) ପରୀକ୍ଷା ଦେବେ।
