ଓଡ଼ିଶାରେ ୪ଟି ନୂଆ ଅର୍ଥନୈତିକ କ୍ଷେତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପିତ ଏହି ବଜେଟ୍ର ଆକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।
ବଜେଟ୍ର ବିଶେଷ ଦିଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସରକାରୀ କାର୍ଯ୍ୟାଳୟ ପରିଚାଳନା ଏବଂ ବେତନ ବାବଦକୁ ଖର୍ଚ୍ଚ କରାଯିବ।
ରାଜ୍ୟର ସାମଗ୍ରିକ ବିକାଶ ଦିଗରେ ଏହି ବଜେଟ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ଏକ ମହତ୍ତ୍ୱାକାଂକ୍ଷୀ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସହରକୁ ନେଇ ଚାରୋଟି ଅର୍ଥନୈତିକ କ୍ଷେତ୍ର (ଇକୋନୋମିକ୍ ରିଜିଅନ୍) ଗଠନ କରାଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ କହିଛନ୍ତି, “ଏହି ବଜେଟରେ ମୁଁ ପବିତ୍ର ଗୃହକୁ ଅବଗତ କରିବାକୁ ଚାହେଁ ଯେ, ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (BCPPER)କୁ ମଡେଲ୍ ଭାବେ ଗ୍ରହଣ କରାଯାଇଛି।” ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମଡେଲ୍କୁ ଆଧାର କରି ଆଉ ତିନୋଟି ଅର୍ଥନୈତିକ କ୍ଷେତ୍ର ଗଠନ କରାଯିବ।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର, ଏବଂ ଜୟପୁର-କୋରାପୁଟ-ସୁନାବେଡ଼ା ଏହି ତିନୋଟି ସ୍ଥାନକୁ ପର୍ଯ୍ୟାୟକ୍ରମେ ଅର୍ଥନୈତିକ କ୍ଲଷ୍ଟର ଭାବେ ପରିଣତ କରାଯିବ। ଏହି କ୍ଷେତ୍ରଗୁଡ଼ିକରେ ଶିଳ୍ପାୟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଶେଷ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
