ପୁରୀରେ ହେବ ଶାମୁକା ପ୍ରକଳ୍ପ: ୧୫୦୦ ଏକରରେ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ଏହି ବଜେଟ୍ ଆଗତ କରାଯାଇଛି। ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ଏହାର ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି।
ବଜେଟ୍ ଗଠନ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜସ୍ୱ ଆୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବଜେଟ୍ ଉପସ୍ଥାପନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ପର୍ଯ୍ୟଟନ ଓ ସାଂସ୍କୃତିକ ଐତିହ୍ୟର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପୁରୀଠାରେ ‘ଶାମୁକା ପ୍ରକଳ୍ପ’ ଏବଂ ହୀରାକୁଦକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନଟ କରାଯାଇଛି।
‘ଶାମୁକା ପ୍ରକଳ୍ପ’ ଅଧୀନରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ସଂଯୋଗ କରାଯିବ। ପ୍ରାୟ ୧୫ ଶହ ଏକର ପରିମିତ ଅଞ୍ଚଳରେ ଏହି ମହାତ୍ୱାକାଂକ୍ଷୀ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାକୁ ଏକ ବିଶ୍ବମାନର ଉପକୂଳ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳୀରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି।
ସେହିପରି ହୀରାକୁଦର ସମନ୍ବିତ ପର୍ଯ୍ୟଟନ ବିକାଶ ପାଇଁ ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। ଏହି ଯୋଜନାରେ ଡ୍ୟାମ୍ ଅଞ୍ଚଳ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦ୍ବୀପ ସମୂହ ଏବଂ ଆଖପାଖ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ଏକ ସ୍ଥାୟୀ ଓ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳାଯିବ। ଏହି ଜଳଭଣ୍ଡାର କ୍ଷେତ୍ରର ବିକାଶ ପାଇଁ ପୂର୍ବରୁ ୯୯ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ‘ଚିଲିକା ପୁନରୁଦ୍ଧାର’ ନାମରେ ଏକ ନୂତନ ଯୋଜନା ମଧ୍ୟ ଘୋଷଣା କରାଯାଇଛି।
ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଭୁବନେଶ୍ବରଠାରେ ଏକ ବିଶ୍ୱମାନର ସଂଗ୍ରହାଳୟ ନିର୍ମାଣ କରାଯିବ। ଏହାସହ ରାଜ୍ୟର ଗୌରବ ପାରମ୍ପରିକ ସାମରିକ କଳା କୌଶଳ ‘ଛଉ’ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ବାରିପଦାଠାରେ ‘ମୟୂରଭଞ୍ଜ ଛଉ ଏକାଡେମୀ’ ପ୍ରତିଷ୍ଠା କରାଯିବ। ଏହି ଏକାଡେମୀ ପ୍ରତିଷ୍ଠା ପାଇଁ ବଜେଟ୍ରେ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
