ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୪ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ : ୫ ଗିରଫ
କେନ୍ଦ୍ରାପଡା (ସଂକେତ ଟିଭି): କେନ୍ଦ୍ରାପଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ରାଜକନିକା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଗତ ଦୁଇ ବର୍ଷ ଧରି ଚାରି ଜଣ ଶିକ୍ଷକଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଆଜି ରାଜକନିକା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାଞ୍ଚ ଜଣଙ୍କୁ ଅଟକ ରଖିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ହେଲ୍ପଲାଇନ ନମ୍ବର (୧୦୯୮)ରେ ଏହି ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି)ର ଏକ ଚାରିଜଣିଆ ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଟିମ୍ ପୀଡ଼ିତା ଛାତ୍ରୀଙ୍କୁ ପଚରାଉଚୁରା କରିବା ସହ ବିଦ୍ୟାଳୟ ପରିଦର୍ଶନ କରି ତଦନ୍ତ କରିଥିଲା। ଏହି ତଦନ୍ତ ପରେ ଆଜି ପୀଡ଼ିତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଘଟଣାର ସତ୍ୟତା ସ୍ବୀକାର କରି କହିଛନ୍ତି, “ଏହି ଘଟଣା ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ। ଆମକୁ ୧୦୯୮ ନମ୍ବରରେ ପ୍ରଥମେ ଫୋନ୍ ଆସିଥିଲା। ପରେ ୱାଟ୍ସଆପ୍ ମାଧ୍ୟମରେ ଲିଖିତ ଅଭିଯୋଗ ପାଇବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା, ଶିଶୁ ସୁରକ୍ଷା କମିଟି ସଦସ୍ୟ ଏବଂ ହେଲ୍ପଲାଇନ ଟିମ୍ ମିଳିତ ଭାବେ ଘଟଣାସ୍ଥଳ ଓ ବିଦ୍ୟାଳୟ ଯାଇ ତଦନ୍ତ କରିଛନ୍ତି। ପୀଡ଼ିତା ନାବାଳିକା ଜଣକ କିପରି ନ୍ୟାୟ ପାଇବେ, ସେଥିପାଇଁ ତଦନ୍ତ ରିପୋର୍ଟ ଆସିବା ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କତାରିୟା ନିଜେ ମାମଲାର ତଦାରଖ କରୁଛନ୍ତି। ସେ କହିଛନ୍ତି, “ଆଜି ସକାଳେ ଖବର ପାଇ ରାଜକନିକା ଥାନା ଅଧିକାରୀ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ରାଜକନିକା ଥାନାରେ ମାମଲା ନଂ. ୫୪/୨୦୨୬ ରୁଜୁ କରାଯାଇଛି। ପୋକ୍ସୋ ଆକ୍ଟର ଧାରା ୪ ଓ ୬ରେ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖାଯାଇଛି।”
ଏସପି ଶ୍ରୀ କତାରିୟା ଆହୁରି ମଧ୍ୟ କହିଛନ୍ତି, “ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ମାମଲା ହୋଇଥିବାରୁ ଏହାର ମନିଟରିଂ ପାଇଁ ମୁଁ ନିଜେ ଯିବି। ମହିଳା ଅପରାଧ ନିରାକରଣ (କ୍ରାଇମ ଆଗେନ୍ସଟ୍ ୱିମେନ୍) ଟିମର ଅତିରିକ୍ତ ଏସପି ଏବଂ ମହିଳା ଡିଏସପିଙ୍କୁ ଘଟଣାସ୍ଥଳକୁ ପଠାଯାଉଛି। ସେମାନେ ସେଠାରେ ପହଞ୍ଚି ତଦାରଖ କରିବେ। ବର୍ତ୍ତମାନ ପ୍ରମାଣ ସଂଗ୍ରହ ଓ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି। ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।”
