ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ: ୩୦ ଡିଗ୍ରୀ ଟପିଲା ତାପମାତ୍ରା, ସ୍କୁଲ ପାଇଁ ଜାରି ହେଲା ଗାଇଡଲାଇନ୍
ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ଟପିଯାଇଛି । ଏହି ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ପାଇଁ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଗରମ ପ୍ରବାହ ସ୍ଥିତିର ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସମେତ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବିଦ୍ୟାଳୟକୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି।
ନିର୍ଦ୍ଦେଶାବଳୀରେ କ’ଣ ରହିଛି:
- ପାନୀୟ ଜଳ: ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ନଳକୂପ ଗୁଡ଼ିକର ମରାମତି କରିବାକୁ କୁହାଯାଇଛି।
- ORS ର ବ୍ୟବସ୍ଥା: ପ୍ରତ୍ୟେକ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ (ORS) ପ୍ୟାକେଟ୍ ରଖିବା ଏବଂ ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ତାହା ଯୋଗାଇ ଦେବା ବାଧ୍ୟତାମୂଳକ କରାଯାଇଛି।
- ବାହ୍ୟ କାର୍ଯ୍ୟକଳାପ ଉପରେ କଟକଣା: ଛାତ୍ରଛାତ୍ରୀ ଯେପରି ତୀବ୍ର ଗରମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିଦ୍ୟାଳୟଗୁଡ଼ିକୁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି।
- ଅଭିଭାବକଙ୍କୁ ସଚେତନ କରିବା: ଅଭିଭାବକମାନେ ଯେପରି ସେମାନଙ୍କ ପିଲାଙ୍କୁ ସ୍କୁଲକୁ ପାଣି ବୋତଲ ଧରି ପଠାଇବେ, ସେନେଇ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି।
- ସଚେତନତା କ୍ଲାସ୍: ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ଗରମରୁ ବଞ୍ଚିବା ପାଇଁ ଟିପ୍ସ ଓ ସତର୍କତା ବିଷୟରେ ସଚେତନ କରାଇବା ପାଇଁ ସମୟ ଦେବାକୁ ପରାମର୍ଶ ଦିଆଯାଇଛି।
ଏପଟେ ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି, “ଖରା ଦିନରେ ପିଲାମାନଙ୍କ ପାଇଁ ପିଇବା ପାଣିର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମ ସ୍କୁଲରେ ଆକ୍ୱାଗାର୍ଡ ଥିବାରୁ ପାଣି ପାଇଁ କୌଣସି ଅସୁବିଧା ହେଉନାହିଁ। ପ୍ରତ୍ୟେକ ଶ୍ରେଣୀଗୃହରେ ପଙ୍ଖା ଲାଗିଛି ଏବଂ ଅତ୍ୟଧିକ ଖରା ହେଲେ ପିଲାଙ୍କୁ ବାହାରକୁ ଛଡ଼ାଯାଉନାହିଁ। ORS ମଧ୍ୟ ଉପଲବ୍ଧ ରହିଛି।”
ଅଂଶୁଘାତ ପ୍ରତି ସତର୍କତା:
କ’ଣ କରିବା ଉଚିତ୍:
୧) ଦିନ ୧୧ ଟାରୁ ୩ଟା ଭିତରେ ସବୁଠୁ ଅଧିକ ଖରା ଥାଏ, ଏହି ସମୟରେ ବାହାରକୁ ବାହାରିବା ଠାରୁ ଦୂରେଇ ରହିବା ଉଚିତ୍।
୨) ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ଛତା ଓ ଜୋତା ବ୍ୟବହାର କରନ୍ତୁ, ସାଙ୍ଗରେ ଥଣ୍ଡା ପାଣି ନିଅନ୍ତୁ।
୩) ବାହାରୁ ଫେରି ସୁରେଇ/ମାଠିଆ ପାଣି, ଲେମ୍ବୁ ସରବତ, ଘୋଳ ଦହି, ଲୁଣ ମିଶା ତୋରାଣି ପିଅନ୍ତୁ।
୪) ସୂତା ଲୁଗା ବ୍ୟବହାର କରନ୍ତୁ, ଯାହା ଶରୀରରେ ବାୟୁ ସଞ୍ଚାର କରିବ।
୫) ଦୁର୍ବଳ ଲାଗିଲେ ଛାଇ ଓ ପବନ ଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ।
୬) ଦେହରୁ ଅଧିକ ଝାଳ ବୋହିଲେ ଓ ପାଟି ଶୁଖିଲା ଲାଗିଲେ ପ୍ରଚୁର ପାଣି, ORS ଓ ପଣା ପିଅନ୍ତୁ।
କ’ଣ କରିବା ଅନୁଚିତ:
୧) ଟାଣ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
୨) ବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ/ମଧୁମେହ ରୋଗୀ ଟାଣ ଖରାରେ ବାହାରକୁ ଯିବେ ନାହିଁ।
୩) ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ।
୪) କେହି ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଅବହେଳା କରନ୍ତୁ ନାହିଁ।
୫) ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ।
୬) ORS ପ୍ୟାକେଟ୍ ସମସ୍ତ ‘ଆଶା’ କର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ। ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସାର ବ୍ୟବସ୍ଥା ରହିଛି।
