ଦିଲ୍ଲୀ-ମେରଟଠାରେ ୫୫ ମିନିଟରେ ପହଞ୍ଚାଇବ ନମୋ ଭାରତ ରାପିଡ୍ ରେଳ
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତର ସବୁଠାରୁ ସେମି-ହାଇସ୍ପିଡ୍ ଟ୍ରେନ୍ ‘ନମୋ ଭାରତ ରାପିଡ୍ ରେଳ’ର ସମ୍ପୂର୍ଣ୍ଣ କରିଡର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଅତ୍ୟାଧୁନିକ ଟ୍ରେନ୍ ସେବା ଦିଲ୍ଲୀରୁ ମେରଠ ପର୍ଯ୍ୟନ୍ତ ୮୨ କିଲୋମିଟର ଦୂରତା ମାତ୍ର ୫୫ ମିନିଟ୍ରେ ଅତିକ୍ରମ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ-ମେରଠ ରିଜିଓନାଲ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆରଟିଏସ୍)ର ଏହି ବିସ୍ତୃତ କରିଡରକୁ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଦିଲ୍ଲୀର ସରାୟ କାଲେ ଖାନ୍ ଠାରୁ ନୂଆ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ଦୀର୍ଘ ରେଳ ବ୍ରିଜ୍ ଏବଂ ମେରଠ ସାଉଥ୍ ଠାରୁ ମୋଦୀପୁରମ୍ ପର୍ଯ୍ୟନ୍ତ ରେଳ ବିଭାଗକୁ ମଧ୍ୟ ସାମିଲ କରାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସବୁଠାରୁ ଦ୍ରୁତଗାମୀ ମେଟ୍ରୋ ସେବା ଏବଂ ୨୩ କିଲୋମିଟର ବିଶିଷ୍ଟ ମେରଠ ମେଟ୍ରୋକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ଉଦଘାଟନ ପରେ, ଉଭୟ ରେଳ ସେବା ରବିବାର ସନ୍ଧ୍ୟା ୬ଟାରୁ ସାଧାରଣ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ମାର୍ଗରେ ୧୩ଟି ଷ୍ଟେସନ୍ ରହିବ।
ଏତଦ୍ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ଅଧିକାରୀଙ୍କ ସହିତ ଶତାବ୍ଦୀ ନଗରରୁ ମେରଠ ସାଉଥ୍ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନ୍ରେ ଯାତ୍ରା କରିଥିଲେ। ଏହି ଯାତ୍ରା ସମୟରେ ସେମାନେ ଟ୍ରେନ୍ରେ ଉପସ୍ଥିତ ସାଧାରଣ ଯାତ୍ରୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।
ଏହି ପ୍ରିମିୟମ୍ ଶ୍ରେଣୀର କୋଚ୍ଗୁଡ଼ିକ ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ। ଏଥିରେ ଆରାମଦାୟକ ଆସନ, ମୋବାଇଲ୍ ଚାର୍ଜିଂ ପାଇଁ ୟୁଏସବି ପୋର୍ଟ, ଅଗ୍ନିନିର୍ବାପକ ଯନ୍ତ୍ର, ଲଗେଜ୍ ରଖିବା ପାଇଁ ଉପଯୁକ୍ତ ସ୍ଥାନ, ଟ୍ରେନର ଗତି ଏବଂ ଆଗାମୀ ଷ୍ଟେସନର ସୂଚନା ଦେଉଥିବା ଡିଜିଟାଲ ସ୍କ୍ରିନ୍, ଏବଂ ଭେଣ୍ଡିଂ ମେସିନ୍ରୁ ଉପଲବ୍ଧ ରିଫ୍ରେସମେଣ୍ଟ ସୁବିଧା ରହିଛି।
