ଆମେରିକା ଗସ୍ତରେ ଥିଲେ ଭାରତୀୟ ପ୍ରତିନିଧି ଦଳ, ଟାରିଫ୍ ଦ୍ୱନ୍ଧ ଯୋଗୁଁ ବାଣିଜ୍ୟ ବୈଠକ ସ୍ଥଗିତ
ୱାଶିଂଟନ୍ (ସଂକେତ ଟିଭି): ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ତିନି ଦିନିଆ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ସ୍ଥଗିତ ରଖାଯାଇଛି। ୱାଶିଂଟନରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଭାରତର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରବିବାର ଆମେରିକା ଅଭିମୁଖେ ଯାତ୍ରା କରିଥିଲେ।
ଭାରତୀୟ ପକ୍ଷରୁ ମୁଖ୍ୟ ବୁଝାମଣାକାରୀ (ଚିଫ୍ ନେଗୋସିଏଟର) ଦର୍ପନ ଜୈନ୍ ଏବଂ ଆମେରିକା ପକ୍ଷରୁ ବାଣିଜ୍ୟ ପ୍ରତିନିଧି ଜାମିଏସନ୍ ଗ୍ରିରଙ୍କ ନେତୃତ୍ୱରେ ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ଟ୍ରେଡ୍ ଡିଲ୍) ଉପରେ ଶେଷସ୍ପର୍ଶ ଦିଆଯିବାର କାର୍ଯ୍ୟକ୍ରମ ଥିଲା।
କିନ୍ତୁ ଏହି ଆଲୋଚନା ପୂର୍ବରୁ ଆମେରିକାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଟାରିଫ୍ ନୀତିକୁ ଅବୈଧ ଘୋଷଣା କରି ରଦ୍ଦ କରିଦେଇଥିଲେ। ଶୀର୍ଷ ଅଦାଲତ ସ୍ପଷ୍ଟ କରିଥିଲେ ଯେ, ୧୯୭୭ର ଆନ୍ତର୍ଜାତୀୟ ଜରୁରୀ ଅର୍ଥନୈତିକ କ୍ଷମତା (ଆଇଇଇପିଏ) ଆଇନ ବଳରେ ରାଷ୍ଟ୍ରପତି ଏତେ ଉଚ୍ଚ ଆମଦାନୀ ଶୁଳ୍କ ଲାଗୁ କରିପାରିବେ ନାହିଁ।
ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନୈରାଶ୍ୟଜନକ ବୋଲି କହି ସମାଲୋଚନା କରି ଟ୍ରମ୍ପ୍ କିଛି ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପୀ ୧୦% ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲେ। ଶନିବାର ଦିନ ସେ ଏହି ଟାରିଫ୍ ହାର ବଢ଼ାଇ ୧୫% କରିଦେଇଥିଲେ। ପୂର୍ବରୁ ଟ୍ରମ୍ପ୍ ପ୍ରଶାସନ ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲଗାଇଥିଲା, ଯାହାକୁ ଫେବୃଆରି ପ୍ରାରମ୍ଭରେ ହ୍ରାସ କରି ୧୮% କରାଯାଇଥିଲା।
ଏହି ପରିସ୍ଥିତିରେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ କେତେ ଟାରିଫ୍ ଲାଗୁ ହେବ, ୧୫% ନା ୧୮% – ଏହାକୁ ନେଇ ଦ୍ୱନ୍ଧା ସୃଷ୍ଟି ହୋଇଥିଲା। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ୍ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ଭାରତ ସହିତ ହେବାକୁ ଥିବା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସେ କହିଥିଲେ, “ଭାରତ ଆମକୁ ଟାରିଫ୍ ଦେବ କିନ୍ତୁ ଆମେ ସେମାନଙ୍କୁ ଦେବୁନାହିଁ। ଏହା ହେଉଛି ଚୁକ୍ତି।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଭଦ୍ରଲୋକ ଆଖ୍ୟା ଦେବା ସହ ସେ ଆମେରିକାଠାରୁ ଫାଇଦା ଉଠାଉଥିଲେ ବୋଲି ମଧ୍ୟ ଟ୍ରମ୍ପ୍ ମନ୍ତବ୍ୟ ଦେଇଥିଲେ।
ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଆଲୋଚନା ଆଗକୁ ବଢ଼ାଇବା ଠିକ୍ ହେବ ନାହିଁ ବୋଲି ଉଭୟ ପକ୍ଷ ବୁଝାମଣା କରିଛନ୍ତି। ଫଳରେ ନିର୍ଦ୍ଧାରିତ ତିନି ଦିନିଆ ବାଣିଜ୍ୟ ବୈଠକକୁ ସ୍ଥଗିତ ରଖାଯାଇଛି। ଭାରତ ଏବଂ ଆମେରିକା ପକ୍ଷରୁ ପୃଥକ୍ ଭାବେ ସୂଚନା ଦିଆଯାଇଛି ଯେ, ଉଭୟ ପକ୍ଷ ପରସ୍ପର ମଧ୍ୟରେ ବିଚାର ବିମର୍ଶ କରି ଏକ ନୂଆ ସମୟ ବାଛିବେ ଏବଂ ସହମତି କ୍ରମେ ପରବର୍ତ୍ତୀ ବୈଠକର ତାରିଖ ଘୋଷଣା କରାଯିବ।
