ରତ୍ନଭଣ୍ଡାର ଗଣତି ପାଇଁ ଏସଓପିକୁ ମଞ୍ଜୁରୀ; ଦୁଇଟି ଟିମ୍ ଗଠନ
ପୁରୀ (ସଂକେତ ଟିଭି): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଥିବା ଏସଓପି (ମାନକ କାର୍ଯ୍ୟ ପ୍ରଣାଳୀ)କୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ ମହାପ୍ରଭୁଙ୍କର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଣତି ପ୍ରକ୍ରିୟା ଏବଂ ଅଧିକାରୀଙ୍କ ଦାୟିତ୍ବ ନେଇ ବିସ୍ତୃତ ଆଲୋଚନା ହୋଇଛି।
ରତ୍ନ ଅଳଙ୍କାର ଗଣତି ପାଇଁ ଦୁଇଟି ପୃଥକ୍ ଟିମ୍ ଗଠନ କରାଯିବ। ପ୍ରଥମଟି ହେଉଛି ୩ ଜଣିଆ ତତ୍ତ୍ୱାବଧାରକ (ସୁପରଭାଇଜିଂ) ଟିମ୍। ଏଥିରେ ରତ୍ନଭଣ୍ଡାର ହାଇଲେବଲ କମିଟିର ଦୁଇ ଜଣ ସଦସ୍ୟ ଏବଂ ରତ୍ନଭଣ୍ଡାର ସବ୍-କମିଟିର ଜଣେ ସେବକ ସଦସ୍ୟ ରହିବେ। ଦ୍ୱିତୀୟଟି ହେଉଛି ୧୦ ଜଣିଆ କାର୍ଯ୍ୟନିର୍ବାହୀ (ହ୍ୟାଣ୍ଡଲିଙ୍ଗ) ଟିମ୍। ଏହି ଦଳରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ରତ୍ନଭଣ୍ଡାର ହାଇଲେବଲ କମିଟି ଅଧ୍ୟକ୍ଷ, ପରିଚାଳନା କମିଟିର ସେବାୟତ ସଦସ୍ୟ, ଦୁଇ ଜଣ ରାଷ୍ଟ୍ରାୟତ ବ୍ୟାଙ୍କ ବଣିଆ, ଜଣେ ବଣିଆ ସେବକ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ଦେଉଳକରଣ ଓ ତଢଉକରଣ ରହିବେ। ଉଭୟ ଦଳ ମିଳିତ ଭାବେ ଗଣତି କାର୍ଯ୍ୟ ସମ୍ପାଦନ କରିବେ।
ମହାପ୍ରଭୁଙ୍କ ମୋତିମାଣିକ୍ୟର ଯାଞ୍ଚ ପାଇଁ ଦୁଇଜଣ ଏକ୍ସପର୍ଟ ଏବଂ ଜଣେ ଆରବିଆଇ ଅଧିକାରୀ ନିୟୋଜିତ ହେବେ। ସମଗ୍ର ପ୍ରକ୍ରିୟାର ଦୁଇଜଣ ଲେଖାଏଁ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ଫଟୋ ଓ ଭିଡିଓ ରେକର୍ଡିଂ କରିବେ। ଏହି ରେକର୍ଡିଂରୁ ସମସ୍ତ ରତ୍ନ ଅଳଙ୍କାରର ଏକ ଡିଜିଟାଲ୍ କ୍ୟାଟାଲଗ୍ ପ୍ରସ୍ତୁତ କରାଯିବ, ଯାହା ଭବିଷ୍ୟତ ଗଣତିରେ ସହାୟକ ହେବ। କ୍ୟାମେରାମ୍ୟାନ୍ଙ୍କ ସହିତ ତଥ୍ୟ ଗୋପନୀୟତା ରକ୍ଷା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ।
ଏସଓପି ଅନୁଯାୟୀ, ଚଳିତ ଗଣନାକୁ ୧୯୭୮ ମସିହାର ତାଲିକା ସହିତ ମେଳ କରାଯିବ। ପ୍ରଥମେ ଚଳନ୍ତି, ପରେ ବାହାର ଏବଂ ଶେଷରେ ଭିତର ରତ୍ନଭଣ୍ଡାରର ଗଣତି ହେବ। ପ୍ରତିଦିନ ଗଣତି ଶେଷ ହେବା ପରେ ରତ୍ନଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରୀରେ ଜମା କରାଯିବ। ଗଣତି ସମୟରେ ସିସିଟିଭି ଲଗାଯିବ ଏବଂ ଆଲୋକୀକରଣ, ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କରାଯିବ। ଉପସ୍ଥିତ ସମସ୍ତ ସଦସ୍ୟ ସରକାରଙ୍କ ଦସ୍ତାବିଜରେ ଦସ୍ତଖତ କରିବେ।
ଗଣତି ଦିନ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ଦର୍ଶନ କରିବେ। ନୀତି ସମ୍ପୃକ୍ତ ପାଳିଆ ସେବକ ବ୍ୟତୀତ ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସମସ୍ତ ସଦସ୍ୟଙ୍କୁ ପୁରୀ ଏସ୍ପି ପରିଚୟପତ୍ର ପ୍ରଦାନ କରିବେ ଏବଂ ସେମାନେ ପାରମ୍ପରିକ ପୋଷାକରେ ଆସିବା ବାଧ୍ୟତାମୂଳକ ହେବ।
ଗଣତି ପାଇଁ ତିଥି ନିର୍ଦ୍ଧାରଣ ଆଗାମୀ ଏକ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହେବ। ଏଥିସହ ରତ୍ନଭଣ୍ଡାର ପ୍ରବେଶ ପାଇଁ ଶୁଭ ବେଳା ମଧ୍ୟ ନିର୍ଦ୍ଧାରଣ କରାଯିବ। ନୀତି ବହୁଳ ଦିନ, ପର୍ବପର୍ବାଣି, ଶନିବାର ଓ ରବିବାର ଗଣତି ବନ୍ଦ ରଖାଯିବ। ଆସନ୍ତା ନୀଳାଦ୍ରୀ ବିଜେ ପୂର୍ବରୁ ସମସ୍ତ ଗଣତି କାର୍ଯ୍ୟ ଶେଷ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି।
