ଫେବ୍ରୁଆରୀ ୨୮ରୁ କିଶୋରୀଙ୍କୁ ମିଳିବ ଜରାୟୁ କର୍କଟ ଟୀକା, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ
ଭୁବନେଶ୍ବର(ସଂକେତ ଟିଭି): ଦେଶରେ କିଶୋରୀମାନଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର (ଜରାୟୁ କର୍କଟ) ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୨୮ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜାତୀୟ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନିଜସ୍ତରରେ ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସୂଚନା ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ। ଟୀକାକରଣ ରଣନୀତି ସମ୍ପର୍କରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଝିଅମାନଙ୍କୁ ଏହାର ଗୋଟିଏ ମାତ୍ରା (ସିଙ୍ଗଲ ଡୋଜ୍) ଦିଆଯିବ। ସେହିପରି, ୧୪ ବର୍ଷରୁ ଅଧିକ ଏବଂ ବିବାହ ପର୍ଯ୍ୟନ୍ତ ବୟସ୍କା ମହିଳାମାନଙ୍କୁ ଏହି ଟୀକାର ତିନୋଟି ଡୋଜ୍ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ପ୍ରାୟ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ପ୍ରକାର କର୍କଟ ରୋଗର ପ୍ରତିକାର ଏବଂ ଚିକିତ୍ସା ନିଶ୍ଚିତ କରିବା।
