ମାର୍ଚ୍ଚ ୨ରେ ଶ୍ରୀମନ୍ଦିର କମିଟି ବୈଠକ, ରତ୍ନଭଣ୍ଡାର ଗଣତି ନେଇ ନିଷ୍ପତ୍ତି ସମ୍ଭାବନା
ପୁରୀ(ସଂକେତ ଟିଭି): ଆସନ୍ତା ୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ (ଏସପି) ଏବଂ ପରିଚାଳନା କମିଟିର ଅନ୍ୟ ସମସ୍ତ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁଯାୟୀ, ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ବିଷୟକୁ ନେଇ ଆଲୋଚନା ହେବ। ବିଶେଷ କରି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତି ପାଇଁ ପ୍ରସ୍ତୁତ ହୋଇଥିବା ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର) ଉପରେ ମୋହର ଲାଗିବ। ଏହାସହ ଗଣତି ପାଇଁ ଶୁଭ ତାରିଖ ଓ ବେଳା ମଧ୍ୟ ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି।
ସେହିପରି, ବୈଠକରେ ଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ ତାହା ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ। ଶ୍ରୀମନ୍ଦିର ସେବାୟତଙ୍କ ପିଲାମାନଙ୍କ ପାଇଁ ଏକ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ନୂତନ ରତ୍ନ ପଲଙ୍କ ସେଟ୍ କେବେଠାରୁ ବ୍ୟବହାର କରାଯିବ, ସେନେଇ ମଧ୍ୟ ଆଲୋଚନା ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ଭିତରେ ପୋଲିସ ଏବଂ ସେବକମାନଙ୍କ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ଲାଗୁ କରାଯିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। ଏହା ବ୍ୟତୀତ ଶ୍ରୀମନ୍ଦିର ଆଇନରେ ଆବଶ୍ୟକୀୟ ସଂଶୋଧନ ଆଣିବା ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତମାନଙ୍କ ସୁବିଧା ପାଇଁ ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଏବଂ ଶୀତ-ତାପ ନିୟନ୍ତ୍ରିତ (ଏସି) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।
