ମେ’ ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ଫଳାଫଳ, ମାର୍ଚ୍ଚ ୧୯ରୁ ଖାତା ଦେଖା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଆସନ୍ତା ମେ’ ମାସ ୨ୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ରେଜଲ୍ଟ ପୂର୍ବରୁ, ଖାତା ଦେଖା ପ୍ରକ୍ରିୟା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୫୧ଟି କେନ୍ଦ୍ରରେ ଏହି ଖାତା ଦେଖା କାର୍ଯ୍ୟ ସମ୍ପନ୍ନ ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ, ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେଇ ଶେଷ କରିବେ। ସମସ୍ତ ପରୀକ୍ଷା ସକାଳ ୯ ରୁ ୧୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଗଣିତ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ।
ଏଥର ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହେବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।
