ପାକିସ୍ତାନକୁ ଝଟକା: ଆଫଗାନ ସେନାର ଗୁଳିରେ ଖସିଲା F-16
ନୂଆଦିଲ୍ଲୀ(ସଂକେତ ଟିଭି): ପଡ଼ୋଶୀ ଦେଶ ପାକିସ୍ତାନକୁ ଏକ ଶକ୍ତ ଧକ୍କା ମିଳିଛି। ଆଫଗାନିସ୍ତାନର ଏୟାରସ୍ପେସ୍ ଉଲ୍ଲଂଘନ କରି ପ୍ରବେଶ କରିଥିବା ପାକିସ୍ତାନ ବାୟୁସେନାର ଏକ F-16 ଯୁଦ୍ଧ ବିମାନକୁ ଆଫଗାନିସ୍ତାନ ସେନା ଗୁଳି କରି ଖସାଇ ଦେଇଛି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ଆହୁରି ଭୟଙ୍କର ରୂପ ନେଇଛି।
ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ କାବୁଲ ଓ କାନ୍ଦାହାର ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ର ଜବାବରେ ଆଫଗାନିସ୍ତାନ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ, ଆଫଗାନିସ୍ତାନ ବିରୋଧରେ ପାକିସ୍ତାନ ଖୋଲା ଯୁଦ୍ଧ ଘୋଷଣା କରିଛି। ଧୈର୍ଯ୍ୟର ସୀମା ପାର ହୋଇଯାଇଥିବା କହି ଖୋଲା ଯୁଦ୍ଧ ଘୋଷଣା କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍। ଆଫଗାନିସ୍ତାନର କାବୁଲ, କାନ୍ଦାହାର ଏବଂ ପାକ୍ତିଆ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନୀ ମନ୍ତ୍ରୀଙ୍କ ଏହି ବଡ଼ ବୟାନ ସାମ୍ନାକୁ ଆସିଛି।
‘ଅପରେସନ ଗଜବ-ଲିଲ୍-ହକ୍’ ଜରିଆରେ ଆଫଗାନିସ୍ତାନର ମିଲିଟାରୀ କ୍ୟାମ୍ପ ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରୁଛି ପାକିସ୍ତାନ। ଗତକାଲି ତାଲିବାନ ସେନା ପାକିସ୍ତାନୀ ସୀମା ଉପରେ କରିଥିବା ଆକ୍ରମଣର ଜବାବରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିବା କହିଛି ପାକିସ୍ତାନ।
ଗତକାଲିର ଆକ୍ରମଣରେ ୫୫ (ପଚାନବ୍ବେ) ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏକାଧିକ ସୈନ୍ୟଙ୍କୁ ବନ୍ଦୀ ରଖିବା ସହ ୧୯ (ଊଣେଇଶ) ପାକିସ୍ତାନୀ ସେନା ଆଉଟପୋଷ୍ଟ ଏବଂ ଗୋଟିଏ ହେଡକ୍ବାର୍ଟର କବଜା କରିଥିବା ଦାବି କରିଛି ତାଲିବାନ ସେନା। ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସକାଳୁ ବିମାନ ଆକ୍ରମଣ ଆରମ୍ଭ କରିଛି। ଆକ୍ରମଣରେ ୧୫୦ (ଏକ ଶହ ପଚାଶ) ରୁ ଅଧିକ ତାଲିବାନ ସଦସ୍ୟ ନିହତ ଏବଂ ପ୍ରାୟ ୨୦୦ (ଦୁଇ ଶହ) ରୁ ଅଧିକ ଆହତ ହୋଇଥିବା ପାକିସ୍ତାନ ଦାବି କରିଛି।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଆକ୍ରମଣକୁ ‘କାପୁରୁଷୋଚିତ’ ବୋଲି କହିବା ସହ ପାକିସ୍ତାନ ବିରୋଧରେ ପାଲଟା ଆକ୍ରମଣ ଆରମ୍ଭ ହୋଇଛି ବୋଲି ଜଣାଇଛନ୍ତି। ତାଲିବାନ ପକ୍ଷରୁ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନଥିବା କୁହାଯାଇଛି।
ସୋସିଆଲ ମିଡିଆରେ କାବୁଲ ଓ କାନ୍ଦାହାର ଉପରେ ପାକିସ୍ତାନୀ ଯୁଦ୍ଧ ବିମାନ ଉଡୁଥିବାର ଭିଡିଓ ସାମ୍ନାକୁ ଆସୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାବୁଲରେ ପ୍ରାୟ ୮ (ଆଠ)ଟି ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।
କିଛି ଦିନ ପୂର୍ବରୁ ପାକିସ୍ତାନ ସେନା ଆଫଗାନିସ୍ତାନର ନଙ୍ଗରହାର ଏବଂ ପାକ୍ତିଆ ଅଞ୍ଚଳରେ ବିମାନ ଆକ୍ରମଣ କରିଥିଲା। ପାକିସ୍ତାନର ଦାବି ଥିଲା ଯେ ସେମାନେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛନ୍ତି। କିନ୍ତୁ ଆଫଗାନିସ୍ତାନର କହିବା ଅନୁଯାୟୀ, ଏହି ଆକ୍ରମଣରେ ଅନେକ ନିରୀହ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି। ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଗକୁ ଏହା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।
