FeaturedLatestNewsPolitics

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ବର ହୋତାଙ୍କ ପ୍ରାର୍ଥୀତ୍ବକୁ ନେଇ ଭକ୍ତ ଦାସ କହିଲେ ଏକଥା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ପାଇଁ ଯୁଗ୍ମ ପ୍ରାର୍ଥୀ ଘୋଷଣାକୁ ନେଇ ରାଜନୀତି ତାତିଛି। ଆଜି ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ନିଜର ମତ ରଖିଛନ୍ତି। ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ କମନ କ୍ୟାଣ୍ଡିଡେଟ୍ କରାଯିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ଭକ୍ତ ଦାସ କହିଛନ୍ତି ଯେ, ଗତ ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଏହି ପ୍ରସଙ୍ଗରେ ତାଙ୍କର ବିସ୍ତୃତ ଆଲୋଚନା ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି, “ତଦ୍‌ନୁଯାୟୀ ନବୀନ ବାବୁ କମନ କ୍ୟାଣ୍ଡିଡେଟ୍ ଘୋଷଣା କରିଛନ୍ତି। ଆମେ କଂଗ୍ରେସ ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କର ଅନୁମତି ମଧ୍ୟ ନେଇସାରିଛୁ।”

ଏହି ଯୁଗ୍ମ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଦଳ ଏକଜୁଟ ହୋଇ କାମ କରିବେ ବୋଲି ଶ୍ରୀ ଦାସ ଆଶାବାଦୀ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କ ଉପରେ କୌଣସି ପ୍ରକାର ଚାପ ସୃଷ୍ଟି କରାଯାଉ ନାହିଁ। ସେ ଯେପରି ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ନିଜର ପ୍ରାର୍ଥିତ୍ୱ ପ୍ରତ୍ୟାହାର ନ କରନ୍ତୁ, ସେଥିପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ଭକ୍ତ ମତ ରଖିଛନ୍ତି।

ଆସନ୍ତା ୨ ତାରିଖରେ ଏହି ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭକ୍ତ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇ କହିଛନ୍ତି, “ଘୋଡ଼ା ବେପାର ବନ୍ଦ କରି ଆମେ କମନ କ୍ୟାଣ୍ଡିଡେଟଙ୍କୁ ଜିତାଇବାକୁ ଲକ୍ଷ୍ୟ ରଖିଛୁ। ୨ ତାରିଖରେ ଘୋଡ଼ା ବେପାର ରୋକିବା ପାଇଁ ଆମେ କଠୋର ପଦକ୍ଷେପ ନେବୁ।” ତାଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।