FeaturedLatestNewsPolitics

ରାଜ୍ୟସଭା ପାଇଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନକୁ ନେଇ ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ପୁଣି ଥରେ ସମସ୍ତଙ୍କୁ ଚମକାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଥିବା ୪ଟି ଆସନ ମଧ୍ୟରୁ ତୃତୀୟ ଆସନ ପାଇଁ ଦଳର ବରିଷ୍ଠ ନେତା ତଥା ଗତ ଲୋକସଭା ନିର୍ବାଚନରେ କଟକ ଆସନରୁ ପ୍ରାର୍ଥୀ ହୋଇଥିବା ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଚତୁର୍ଥ ଆସନ ପାଇଁ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ଦଳ ପ୍ରାର୍ଥୀ କରିଛି।

ପ୍ରାର୍ଥୀ ଘୋଷଣା ସମୟରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ସନ୍ତୃପ୍ତ ମିଶ୍ର ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ବେଳେ ଡକ୍ଟର ଦତ୍ତେଶ୍ୱର ହୋତା ଏକ ସାଝା ପ୍ରାର୍ଥୀ (କମନ କ୍ୟାଣ୍ଡିଡେଟ୍) ହେବେ। ଏହାସହିତ ଶ୍ରୀ ପଟ୍ଟନାୟକ ରାଜ୍ୟର ଅନ୍ୟ ସମସ୍ତ ରାଜନୈତିକ ଦଳକୁ ଡ. ହୋତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।

ସନ୍ତୃପ୍ତ ମିଶ୍ର ଜଣାଶୁଣା ବିଜେଡି ନେତା ହେବାସହ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ଅପରପକ୍ଷରେ, ଡକ୍ଟର ଦତ୍ତେଶ୍ୱର ହୋତା ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଣେ ପରିଚିତ ଚେହେରା। ସେ ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ କାର୍ଯ୍ୟ କରିସାରିଛନ୍ତି। ଏତଦ୍ବ୍ୟତୀତ, ସେ ରାଜଧାନୀ ଅଞ୍ଚଳର କ୍ୟାପିଟାଲ ହସ୍ପିଟାଲରେ ୟୁରୋଲୋଜି ବିଭାଗରେ କାର୍ଯ୍ୟରତ ଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମହତ୍ତ୍ୱାକାଂକ୍ଷୀ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ କାର୍ଯ୍ୟକ୍ରମରେ ନିୟୋଜିତ ଡାକ୍ତର ଟିମର ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ଓଡ଼ିଶାରୁ ରାଜ୍ୟସଭାକୁ ୪ଟି ସିଟ୍ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନକୁ ନେଇ ବିଜେଡି, ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ ରାଜନୀତି ଜୋର୍ ଧରିଥିଲା। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ, ମାର୍ଚ୍ଚ ୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ତାରିଖ। ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ ଏବଂ ସେହି ଦିନ ଅପରାହ୍ନରେ ଭୋଟ୍ ଗଣତି କରାଯିବ।