ଇରାନର ପ୍ରତିଶୋଧ: ଆମେରିକାର ୧୪ ସାମରିକ ଛାଉଣୀ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ
ଓ୍ବାସିଂଟନ (ସଂକେତ ଟିଭି): ଇରାନର ବୈପ୍ଳବିକ ରକ୍ଷକ ବାହିନୀ (ଆଇଆର୍ଜିସି) ଦାବି କରିଛି ଯେ, ଆମେରିକାର ସମ୍ଭାବ୍ୟ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସେମାନେ ବିଭିନ୍ନ ଦେଶରେ ଥିବା ଆମେରିକାର ୧୪ଟି ସାମରିକ ଛାଉଣୀକୁ ଟାର୍ଗେଟ୍ କରିଛନ୍ତି। ଏହି ଆକ୍ରମଣରେ ଶହ ଶହ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିବା ଇରାନ ପକ୍ଷରୁ ଦାବି କରାଯାଇଥିବାବେଳେ ୱାସିଂଟନ୍ ପକ୍ଷରୁ କୌଣସି ସୈନିକଙ୍କ ମୃତ୍ୟୁ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି।
ଆମେରିକା-ଇସ୍ରାଏଲ ମିଳିତ ସାମରିକ ଅଭିଯାନର ପ୍ରତିଶୋଧରେ ଇରାନ ଏହି କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣର ପ୍ରଥମ ଶିକାର ହୋଇଥିଲା ବାହାରିନ। ଆମେରିକାର ପଞ୍ଚମ ଫ୍ଲିଟ୍ ନୌସେନା ବେସ୍ ଥିବା ବାହାରିନର ଜୁଫେୟାର ଅଞ୍ଚଳରେ ଘନ ଧୂଆଁର ସ୍ତର ଦେଖିବାକୁ ମିଳିଥିଲା ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ।
ତେବେ ଏହି ଆକ୍ରମଣ ସମୟରେ ଆମେରିକାର ପ୍ରତିରକ୍ଷା ବିଭାଗ ତରଫରୁ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରସ୍ଥାନ ନୋଟିସ୍ ଜାରି କରାଯାଇଥିଲା, ଯାହାଫଳରେ କୌଣସି ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟି ନ ଥିଲା। ଏହି ସଙ୍କଟକୁ ଦୃଷ୍ଟିରେ ରଖି ଆମେରିକା ଦୂତାବାସ ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସତର୍କ କରାଇଦେଇଥିଲା। ବାହାରିନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମଧ୍ୟ ସାଇରନ୍ ବଜାଇ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲା।
ବାହାରିନ ବ୍ୟତୀତ କତର, କୁଏତ, ଜୋର୍ଡାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ସାମରିକ ଛାଉଣୀ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଛି। କତରର ଅଲ୍ ଉଦୈଦ୍ ଏୟାର୍ ବେସ୍, କୁଏତର ଅଲ୍ ସଲିମ୍ ସାମରିକ ଛାଉଣୀ ଏବଂ ଜୋର୍ଡାନର ମୁୱାଫାକ୍ ଅଲ୍-ସଲ୍ଟି ସାମରିକ ଛାଉଣୀ ଟାର୍ଗେଟ୍ ହୋଇଥିଲା। ସେହିପରି ଆବୁଧାବିର ଦକ୍ଷିଣ ଭାଗରେ ଅବସ୍ଥିତ ଅଲ୍ ଧଫ୍ରା ଏୟାର୍ ବେସ୍ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଆବୁଧାବିରେ ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
