FeaturedGeneralLatest

ପାକିସ୍ତାନରେ ଆମେରିକା ଦୂତାବାସ ଉପରେ ଉତ୍ୟକ୍ତ ଜନତାଙ୍କ ଆକ୍ରମଣ, ୮ ମୃତ

କରାଚୀ (ସଂକେତ ଟିଭି): ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସେ ଏକ ଭୂତଳ ବଙ୍କର (ବଙ୍କର) ରେ ଆଶ୍ରୟ ନେଇଥିଲେ ମଧ୍ୟ ଶକ୍ତିଶାଳୀ ଆକ୍ରମଣରୁ ବର୍ତ୍ତିପାରି ନାହାଁନ୍ତି। ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଖାମେନେଇଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ପାକିସ୍ତାନରେ ଇରାନ ସମର୍ଥକମାନେ ବାହାରି ଉପଦ୍ରବ ଆରମ୍ଭ କରିଦେଇଛନ୍ତି। କରାଚୀ ସହରରେ ଉତ୍ତ୍ୟକ୍ତ ଜନତା ଆମେରିକା ଦୂତାବାସ କାର୍ଯ୍ୟାଳୟ ନିକଟରେ ଜମା ହୋଇ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ପ୍ରଦର୍ଶନକାରୀମାନେ “ଇରାନ ଜିନ୍ଦାବାଦ” ଏବଂ “ଖାମେନେଇ ଜିନ୍ଦାବାଦ” ନାରା ଦେଉଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ଆମେରିକୀୟ ଦୂତାବାସର ମୁଖ୍ୟ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସେମାନେ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପରିସ୍ଥିତି ଏତେ ବିଗିଡ଼ିଯାଇଥିଲା ଯେ ଆମେରିକା ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଯାଇଥିଲା।

ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନୀ ପୋଲିସକୁ ଗୁଳିମାଡ଼ କରିବାକୁ ପଡ଼ିଥିଲା। ପୋଲିସ ଗୁଳିଚାଳନାରେ ଅତି କମରେ ୮ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆକ୍ରମଣ ନ ବଢ଼ାଇବାକୁ ଚେତାବନୀ ଦେଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ଯଦି ଇରାନ ଆଉ ଏକ ପଦକ୍ଷେପ ନିଏ, ତେବେ ଆମେରିକା ଏଭଳି ଶକ୍ତି ସହିତ ଜବାବ ଦେବ, ଯାହା କେବେ ବି ଦେଖିନାହାଁନ୍ତି। ଅପରପକ୍ଷରେ, ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।