ନୂଆ ଇରାନ ସୁପ୍ରିମ ଲିଡର ଭାବେ ମୁଜତାବା ଖାମେନେଇଙ୍କ ନାମ ଘୋଷଣା
ତେହେରାନ (ସଂକେତ ଟିଭି): ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନେଇଙ୍କ ନିହତ ପରେ ଦେଶର ନୂଆ ସୁପ୍ରିମ ଲିଡର ଭାବେ ତାଙ୍କ ପୁଅ ମୁଜତୋବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ବରିଷ୍ଠ ସିହା ଧର୍ମଗୁରୁ ଏବଂ ବିଦ୍ୱାନ ଭାବେ ପରିଚିତ ମୁଜତୋବାଙ୍କୁ ୮୮ ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ନେଇ ଗଠିତ ଆସେମ୍ବଲି ଅଫ୍ ଏକ୍ସପର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଚୟନ କରିଛନ୍ତି।
ନୂତନ ନେତୃତ୍ୱ ଗ୍ରହଣ କରି ମୁଜତାବା ତାଙ୍କ ପ୍ରଥମ ବକ୍ତବ୍ୟରେ ପ୍ରିୟଜନଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି କହିଛନ୍ତି। ତାଙ୍କ ବକ୍ତବ୍ୟକୁ ଆକ୍ରମଣାତ୍ମକ ଭାବେ ବ୍ୟାଖ୍ୟା କରାଯାଉଥିବା ବେଳେ, ଦେଶରେ ଏହି ଆକ୍ରମଣ ଜାରି ରହିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ଇରାନର ରାଜନୈତିକ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
ମୁଜତୋବା ଖାମେନେଇ ୧୯୬୯ ମସିହାରେ ପବିତ୍ର ନଗରୀ ମଶହଦରେ ଜନ୍ମଗ୍ରହଣ କରିଥିଲେ। ଧାର୍ମିକ ପରିବେଶରେ ତାଙ୍କର ପାଳନ ପୋଷଣ ହୋଇଥିଲା ଏବଂ ସେ ପ୍ରାରମ୍ଭିକ ଜୀବନରୁ ଧାର୍ମିକ ଶିକ୍ଷା ଲାଭ କରିଥିଲେ। ଇରାନ-ଇରାକ ଯୁଦ୍ଧ ସମୟରେ ସେ ରିଭୋଲ୍ୟୁସନାରୀ ଗାର୍ଡ ଭାବେ କାର୍ଯ୍ୟ କରି ସାମରିକ ଅଭିଜ୍ଞତା ହାସଲ କରିଥିଲେ।
ଦୀର୍ଘ ଦିନ ଧରି ତାଙ୍କୁ ତାଙ୍କ ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ଯଦିଓ ସେ କୌଣସି ସରକାରୀ ପଦବୀରେ ନଥିଲେ, ତଥାପି ଦେଶର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଓ ଧାର୍ମିକ ନିଷ୍ପତ୍ତି ନେବାରେ ତାଙ୍କର ପ୍ରଭାବ ରହିଆସିଥିଲା। ଏବେ ସର୍ବୋଚ୍ଚ ନେତା ଭାବେ ତାଙ୍କର ନିଯୁକ୍ତି ପରେ, ଇରାନର ଆଭ୍ୟନ୍ତରୀଣ ଏବଂ ବୈଦେଶିକ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି।
